ଏପ୍ରିଲରେ ଛୁଟିଦିନରେ ବି ଦିଆଯିବ ଟିକା

ନୂଆଦିଲ୍ଲୀ – ଦେଶରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୪୫ ତଥା ତା’ଠାରୁ ଊର୍ଦ୍ଧ୍ୱ ବୟସ୍କ ସବୁ ଲୋକଙ୍କୁ ଟିକା ଲଗାଯିବ । ତେବେ କରୋନା ମାମଲା ମଧ୍ୟ ବଢ଼ୁଥିବାରୁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଚଳିତ ମାସରେ ଛୁଟି ଦିବସରେ ମଧ୍ୟ ଲୋକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର କହିଛି । ଛୁଟି ଦିବସ ସହ ଘରୋଇ ଓ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚଳିତ ମାସ ସବୁଦିନ ଟିକାକରଣ ଚାଲିବ । ଏନେଇ ସବୁ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ତରଫରୁ ସବୁ ରାଜ୍ୟମାନଙ୍କୁ ଚିଠି ଲେଖାଯାଇଛି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ସହ ମାର୍ଚ୍ଚ ୩୧ରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ସବୁ ଘରୋଇ ଓ ସରକାରୀ ସ୍ୱାସ୍ଥ୍ୟ ଟିକାକରଣ କେନ୍ଦ୍ରର ପୂର୍ଣ୍ଣ ଉପଯୋଗ ପୂର୍ବକ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଦେଶରେ ଜାନୁୟାରୀ ୧୬ରୁ କୋଭିଡ୍‌-୧୯ ବିରୋଧରେ ଟିକାକରଣ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା । ଫେବୃୟାରୀ ୨ରୁ ସମସ୍ତ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାମାନଙ୍କର ଟିକାକରଣ ହୋଇଥିଲା । ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଗୁରୁତର ରୋଗରେ ପୀଡିତ ୪୫-୫୯ ବର୍ଷର ଲୋକଙ୍କୁ ଟିକା ଦିଆଯାଇଥିଲା ।
ଏଯାବତ୍ ଦେଶବ୍ୟାପୀ ୧୦,୮୬,୨୪୧ କେନ୍ଦ୍ରରେ ୬.୫ କୋଟି ଟିକା ଡୋଜ୍ ପ୍ରଦାନ କରାଯାଇଛି ।

Comments are closed.