ଏସିଏସଙ୍କ ପ୍ରେସମିଟ୍ : କୋରୋନା ସଂକ୍ରମଣର ଭୟାବହତା ଆକଳନ ସହଜ ନୁହେଁ, ଟିକା ଆସିଲେ ହିଁ ତୃତୀୟ ପର୍ଯ୍ୟାୟ ଟିକାକରଣର ତାରିଖ ନିର୍ଦ୍ଧାରଣ

ଭୁବନେଶ୍ୱର- ଦ୍ୱିତୀୟ ଲହରୀରେ ମାରାତ୍ମକ ହେଉଛି କୋରୋନା । ସଂକ୍ରମଣର ଭୟାବହତା ନେଇ ଆକଳନ ସହଜ ହେଉନାହିଁ ବୋଲି ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ୫ ଲକ୍ଷ ଟପିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁମାନ କରିଥିବା ଏସିଏସ କହିଛନ୍ତି । ଏହାର ପ୍ରଭାବ ରାଜ୍ୟ ଉପରେ ବି ପଡିପାରେ ବୋଲି ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ପ୍ରେସମିଟରେ ଏହା କହିଛନ୍ତି ପ୍ରଦୀପ୍ତ ମହାପାତ୍ର । ସମସ୍ତେ କୋରୋନା ନିୟମ ମାନିବାକୁ ଅନୁରୋଧ କରିଛନ୍ତି ଏସିଏସ । ବଜାର ହାଟ ଗଲେ ସଚେତନ ରହିବାକୁ ସେ କହିଛନ୍ତି । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଟେଷ୍ଟି ବଢିଛି । ଦୈନିକ ୫୦ ହଜାରରୁ ଅଧିକ ରାପିଡ୍ ଆଂଟିଜେନ ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଏସିଏସ କହିଛନ୍ତି । ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ କୋରୋନାର ପ୍ରଥମ କେସ୍ ଆସିଥିଲା । ସେପଟେମ୍ବର ୨୫ରେ ପ୍ରଥମ ପର୍ଯ୍ୟାୟ ପିକ୍ ହୋଇଥିଲା । ଦ୍ୱିତୀୟ ଲହରୀରେ ଏତେ ଭୟାନକ ହେବ ବୋଲି କେହି ଭାବି ନ ଥିଲେ । କୋରୋନା ବିରୋଧରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଲଢିବାକୁ ହେବ । ରାଜ୍ୟରେ ଏବେ ୧୮ ହଜାର ଆରଟି-ପିସିଆର୍ ଟେଷ୍ଟ ହେଉଛି । ଆଗକୁ ୨୦ରୁ ୨୫ ହଜାର ଟେଷ୍ଟ୍ ଲକ୍ଷ୍ୟ ରଖାଯାଇଛି । ଛାନିଆ ହୋଇ ହସପିଟାଲ୍ ନ ଆସିବାକୁ ପରାମର୍ଶ ଦେଇଛନ୍ତି ଏସିଏସ । ପଜିଟିଭ ହେଲେ ହଠାତ୍ ହସପିଟାଲ ଆସିବା ଦରକାର ନାହିଁ । ଘରେ ରହି ପ୍ରଶାସନ ସହ ଯୋଗାଯୋଗ କରି ଚିକିତ୍ସିତ ହେବାକୁ ସେ କହିଛନ୍ତି । ଗୁୁରୁତର ରୋଗୀ ହିଁ କେବଳ ହସପିଟାଲ ଆସିବା ଦରକାର । ଟିକାକରଣ ବାବଦରେ ଏସିଏସ କହିଛନ୍ତି ଯେ, ୫୭ ଲକ୍ଷ ୭୬ ହଜାର ଡୋଜ୍ କୋଭିଡ ଟିକା ଓଡିଶାରେ ଦିଆସରିଛି । ଆମେ ଦିନକୁ ୪ ଲକ୍ଷ ଯାଏଁ ଟିକା ଦେଇପାରିବୁ । ଓଡିଶାରେ ଟିକା ନଷ୍ଟ ହେଉନି ବୋଲି ସେ କହିଛନ୍ତି । ୧ କୋଟି ୯୩ ଲକ୍ଷ ଲୋକ ଅର୍ଥାତ୍ ୪୩ ପ୍ରତିଶତ ଓଡିଶାର ଲୋକ ୧୮ରୁ ୪୪ ବର୍ଷ ଭିତରେ ରହିଛନ୍ତି । ଏମାନଙ୍କୁ ମାଗଣାରେ ଟିକା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କେବେ ଟିକା ଆସିବ, ତାହା ଜଣା ପଡିନାହିଁ । ଯେତେବେଳେ ଯାଏ ଓଡିଶାରେ ଟିକା ନ ପହଂଚିଛି, ତୃତୀୟ ପର୍ଯ୍ୟାୟ ଟିକାକରଣ ତାରିଖ ନିର୍ଦ୍ଧାରଣ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସିଏସ ।

Comments are closed.