ଭୁବନେଶ୍ୱର- ଓଡିଆ ସାହିତ୍ୟ ଜଗତରେ ଏର ଯୁଗର ଅବସାନ ହୋଇଛି । ଆନ୍ତର୍ଜାତିକ ଖ୍ୟାାତିସଂପନ୍ନ ଓଡିଆ ସାହିତ୍ୟିକ ମନୋଜ ଦାସ ଆଉ ନାହାନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ପୁଡୁଚେରୀରେ ଏକ ଘରୋଇ ହସପିଟାଲରେ ଏହି ମହାନ ସାହିତ୍ୟିକ, ସଂପାଦକ ଓ ସ୍ତମ୍ଭକାରଙ୍କ ଦେହାନ୍ତ ହୋଇଯାଇଛି । ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ । ବାଲେଶ୍ୱର ଜନ୍ମିତ ମନୋଜ ଦାସ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଲେଖନୀ ଚାଳନା କରିଥିଲେ । ଅସଂଖ୍ୟ କାଳଜୟୀ ଗଳ୍ପ, ପ୍ରବନ୍ଧ, ଗବେଷଣାତ୍ମକ ପ୍ରବନ୍ଧ ଓ କବିତା ଲେଖି ଓଡିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି ମନୋଜ ।
ମନୋଜ ଦାସଙ୍କ ସାହିତ୍ୟକୃତି ଦେଶ ବିଦେଶରେ ପରିଚିତ । ୨୦୦୦ ମସିହାରେ ସେ ସମ୍ମାନଜନକ ସରସ୍ୱତୀ ସମ୍ମାନ ପାଇଥିଲେ । ସାହିତ୍ୟକୃତି ଅମୃତ ଫଳ ପାଇଁ ତାଙ୍କୁ ମିଳିଥିଲା ସରସ୍ୱତୀ ସମ୍ମାନ । ୨୦୦୧ରେ ସେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମଭୂଷଣ ଉପାଧି ପାଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ୍ ବି ପାଇଥିଲେ ମନୋଜ ଦାସ । ତାଙ୍କର ବିଶିଷ୍ଟ ସାହିତ୍ୟକୃତି ମଧ୍ୟରେ ପ୍ରମୁଖ ହେଲା ତନ୍ଦ୍ରାଲୋକର ପ୍ରହରୀ, ଆକାଶର ଇସାରା, ଉପକଥା ଶତକ, ଆବୁପୁରୁଷ, ଶେଷ ବସନ୍ତର ଚିଠି, ଆରଣ୍ୟକ, ଲକ୍ଷ୍ମୀର ଅଭିସାର ।
ସାହିତ୍ୟ ସାଧନା ସହ ସେ ପୁଡୁଚେରୀରେ ଶ୍ରୀ ଅରବିନ୍ଦ ଆଶ୍ରମ ସହ ଜଡିତ ହୋଇ ରହିଥିଲେ । ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟରେ ମନୋଜ ଦାସ ଇଂରାଜୀ ସାହିତ୍ୟ ଓ ଶ୍ରୀ ଅରବିନ୍ଦ ଦର୍ଶନରେ ଶିକ୍ଷାଦାନ କରିଥିଲେ ।
Comments are closed.