କରାଚି ଟେଷ୍ଟ: ଫୱାଦ ଆଲମଙ୍କ ଶତକ, ଦୃଢ଼ ସ୍ଥିତିରେ ପାକିସ୍ତାନ

କରାଚି – ଫୱାଦ ଆଲମଙ୍କ ଶତକ ବଳରେ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପାକିସ୍ତାନ ପ୍ରଥମ ଇନିଂସ୍ ଅଗ୍ରଣୀ ହାସଲ କରିବା ସହ ନିଜ ସ୍ଥିତି ସୁଦୃଢ କରିନେଇଛି । ଫୱାଦ କ୍ୟାରିୟରର ତୃତୀୟ ଶତକ ହାସଲ କରିଛନ୍ତି । ସେ ୧୦୯ ରନ୍ କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ୍ ସ୍କୋର ୨୨୦ ରନ୍ ଜବାବରେ ପାକିସ୍ତାନ ଦ୍ୱିତୀୟ ଦିବସର ଖେଳ ଶେଷ ସୁଦ୍ଧା ୮ ୱିକେଟ୍ ହରାଇ ୩୦୮ ରନ୍ କରିଛି । ହାତରେ ଆଉ ଗୋଟିଏ ୱିକେଟ ରହିଥିବା ବେଳେ ପାକିସ୍ତାନ ଏଯାବତ ୮୮ ରନ୍‌ରେ ଆଗୁଆ ରହିଛି । ଷ୍ଟମ୍ପ ଅପସାରଣ ବେଳକୁ ହସନ ଅଲ୍ଲୀ ୧୧ ଓ ନୌମାନ ଅଲ୍ଲୀ ୬ ରନ୍ କରି ଅପରାଜିତ ଅଛନ୍ତି । ପିଚ୍ ଏବେଠୁଁ ହିଁ ଟର୍ଣ୍ଣ ନେଉଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷେ ଏହି ମ୍ୟାଚ୍ ବଞ୍ଚାଇବା କଷ୍ଟକର ହେବ ।

ପ୍ରଥମ ଦିନର ଖେଳ ଶେଷ ବେଳକୁ ପାକିସ୍ତାନ ୩୩ ରନରେ ୪ଟି ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ଆଜି ଦ୍ୱିତୀୟ ଦିବସରେ ଏହି ଅସମାପ୍ତ ସ୍କୋରରୁ ପାକିିସ୍ତାନ ଆଗକୁ ଖେଳିଥିଲା । ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଫୱାଦ ଓ ଆଝାର ପଞ୍ଚମ ୱିକେଟରେ ୯୪ ରନ୍ ଯୋଗକରି ଦଳୀୟ ସ୍ଥିତି ସମ୍ଭାଳିଥିଲେ । ଉଭୟେ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ଅର୍ଦ୍ଧଶତକ ହାସଲ କରିବା ସଙ୍ଗେ ସଙ୍ଗେ ଆଝାର ବ୍ୟକ୍ତିଗତ ୫୧ ସ୍କୋରରେ ସ୍ପିନର କେଶବ ମହାରାଙ୍କ ଶିକାର ହୋଇଥିଲେ । ମହମ୍ମଦ ରିଜୱାନ ଦ୍ରୁତ ୩୩ ରନ୍ କରି ଲୁନଗି ଏନ୍‌ଗିଡିଙ୍କ ବଲରେ ଆଉଟ୍ ହୋଇଥିଲେ । କିନ୍ତୁ ସପ୍ତମ ୱିକେଟ୍ ପାଇଁ ଫୱାଦ ଓ ଫହିମ ଅସ୍ରଫ୍ (୬୪) ଗୁରୁତ୍ୱପୂର୍ଣ୍ଣ ୧୦୨ ରନ୍ ଯୋଗକରି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିରାଶ କରିଥିଲେ । ଫୱାଦ୍ ନିଜ କ୍ୟାରିୟରର ତୃତୀୟ ଶତକ ହାସଲ କରିଥିଲେ । ଶେଷରେ ଠିକ୍ ଷ୍ଟମ୍ପ ଅପସାରଣ ପୂର୍ବରୁ ଏହି ଯୋଡ଼ି ଭାଙ୍ଗିଥିଲେ ତେମ୍ବା ବାଭୁମା । ସେ ଶତକ ହାସଲକାରୀ ଫୱାଦଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ପ୍ରତୀକ୍ଷିତ ସଫଳତା ଦେଇଥିଲେ ।

ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୨୨୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ତରଫରୁ ଡିନ୍ ଏଲଗାର ସର୍ବାଧିକ ୫୮ ରନ୍ କରିଥିଲା ବେଳେ ଜର୍ଜ ଲିଣ୍ଡେ ୩୫ ରନ୍ କରିଥିଲେ । ପାକିସ୍ତାନ ତରଫରୁ ସ୍ପିନର ୟାସିର ଶାହ ୩ଟି ୱିକେଟ୍ ନେଇଥିବା ବେଳେ ସାହୀନ ଶାହ ଆଫ୍ରିଦି ଓ ନବାଗତ ନୌମାନ ଅଲ୍ଲୀ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ପାକିସ୍ତାନ ଗସ୍ତରେ ଦକ୍ଷିଣ ଆଫ୍ରିକା ଦୁଇଟି ଟେଷ୍ଟ, ତିନୋଟି ଟି୨୦ ଖେଳିବ । ଦକ୍ଷିଣ ଆଫ୍ରିକା ଦୀର୍ଘ ୧୪ ବର୍ଷ ପରେ ପାକିସ୍ତାନ ଆସିଛି ।

 

Comments are closed.