କରୋନା ଅପଡେଟ୍‌: ଚିହ୍ନଟ ହେଲେ ଆଉ ୩୫,୮୭୧ ଆକ୍ରାନ୍ତ, ୧୦୨ ଦିନରେ ସର୍ବାଧିକ

ନୂଆଦିଲ୍ଲୀ – ଭାରତରେ କରୋନା ପୁଣି କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଶେଷଥର ଡିସେମ୍ବର ୫, ୨୦୨୦ରେ ୩୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା । ସେହି ଦିନ ୩୬,୦୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଗତ ୨୪ ଘଣ୍ଟାରେ ଭାରତରେ ଚିହ୍ନଟ ହୋଇଛନ୍ତି ଆଉ ୩୫, ୮୭୧ ଆକ୍ରାନ୍ତ, ଯାହା ୧୦୨ ଦିନ ମଧ୍ୟରେ ସର୍ବାଧିକ । ଏହି ମହାମାରୀରେ ଆଉ ୧୭୨ ଲୋକଙ୍କ ଜୀବନ ଯାଇଛି । କରୋନାରୁ ଆଉ ୧୭,୭୪୧ ଜଣ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୭୪,୬୦୫କୁ ବୃଦ୍ଧି ପାଇଛି । ମୋଟ ଏକ ଲକ୍ଷ ୫୯ ହଜାର ୨୧୬ ଜଣ ଲୋକ ଏହି ରୋଗରେ ପ୍ରାଣ ହରାଇଥିଲା ବେଳେ ୧ କୋଟି ୧୦ ଲକ୍ଷ ୬୩ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ସକ୍ରିୟ ମାମଲା ବି ବଢ଼ି ଚାଲିଛି । ଭାରତରେ ସକ୍ରିୟ ମାମଲା ୨ ଲକ୍ଷ ୫୨ ହଜାର ୩୬୪କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଆଜି ଆସିଥିବା ମୋଟ ମାମଲାର ୬୪% କେବଳ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୨୩,୧୭୯ ନୂଆ ରୋଗୀ ମିଳିଛନ୍ତି, ଯାହା ଗତ ୬ ମାସରେ ସର୍ବାଧିକ । ସେହିପରି ପଞ୍ଜାବ, ଗୁଜରାଟ, କର୍ଣ୍ଣାଟକ, କେରଳରେ ବି ନୂଆ ମାମଲା ବଢ଼ୁଛି ।

Comments are closed.