କରୋନା ପାଇଁ ପଶ୍ଚିମବଙ୍ଗ ନିର୍ବାଚନକୁ କାଣ୍ଟ୍‌ଛାଣ୍ଟ୍ କରିବାକୁ ମମତାଙ୍କ ଦାବି

କୋଲକାତା – ଦେଶରେ କରୋନା ସ୍ଥିତି ବିଗୁଡୁଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଅବଧି କାଣ୍ଟ୍‌ଛାଣ୍ଟ୍ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି । ପଶ୍ଚିମବଙ୍ଗରେ ଆଠ ପର୍ଯ୍ୟାୟ ମଧ୍ୟରୁ ପାଞ୍ଚ ପର୍ଯ୍ୟାୟ ମତଦାନ ସରିଛି । ଆଉ ତିନୋଟି ପର୍ଯ୍ୟାୟ ଭୋଟ୍ ଗ୍ରହଣ ବାକି ଅଛି । ତେବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅବଶିଷ୍ଟ ତିନୋଟି ପର୍ଯ୍ୟାୟକୁ ଗୋଟିଏ ଦିନରେ କିମ୍ବା ଦୁଇ ଦିନରେ ଶେଷ କରିବା ପାଇଁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ନିର୍ବାଚନ କମିଶନଙ୍କୁ ଅପିଲ କରିଛନ୍ତି ।

ଉତ୍ତର ଦିନାଜପୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ମମତା କହିଛନ୍ତି, କରୋନା ସଂକ୍ରମଣ ଏବଂ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସେ ଅବଶିଷ୍ଟ ତିନୋଟି ପର୍ଯ୍ୟାୟ ମତଦାନକୁ ଗୋଟିଏ କିମ୍ବା ଦୁଇ ଦିନରେ ଶେଷ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି । କିନ୍ତୁ ନିର୍ବାଚନ କମିଶନ ତାଙ୍କ କଥା ଶୁଣିବେ ନାହିଁ । ନିର୍ବାଚନ କମିଶନ ବିଜେପି ଇଙ୍ଗିତରେ ଆଠ ପର୍ଯ୍ୟାୟରେ ହିଁ ମତଦାନ କରିବାକୁ ଜିଦ୍‌ରେ ଅଟଳ ।
ମମତା କହିଛନ୍ତି ଯେ, ସଂକୀର୍ଣ୍ଣ ଅଞ୍ଚଳରେ ତାଙ୍କ ଦଳ ଆଉ ନିର୍ବାଚନୀ ରାଲି କରିବ ନାହିଁ । ଦେଶରେ କୋଭିଡ୍ ସ୍ଥିତି ଓ ଟିକାର ଅଭାବ ନେଇ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । ଟିକା ଅଭାବ ଦୂର କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉ ନାହାନ୍ତି ବୋଲି ମମତା କହିଛନ୍ତି ।

Comments are closed.