କରୋନା ଭୟ: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ଦିନିକିଆ ସିରିଜ୍ ବାତିଲ

କେପ୍ ଟାଉନ୍ – ଉଭୟ ଦଳର କିଛି ସଦସ୍ୟ କରୋନାରେ ସଂକ୍ରମିତ ହେବା ପରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ବାତିଲ ହୋଇଯାଇଛି । ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳିଙ୍କ ବ୍ୟତୀତ ଉଭୟ ଟିମ୍ ରହୁଥିବା ହୋଟେଲର ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ହୋଇଥିଲେ । ସେହିପରି ଇଂଲଣ୍ଡ ଦଳର ଦୁଇଜଣ ସଦସ୍ୟଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା । ଦୁଇ ଦଳରେ କରୋନା ସଂକ୍ରମଣ ଜନିତ ମାମଲା ଆସିବା ପରେ ସିରିଜକୁ ବାତିଲ କରିବା ପାଇଁ ଉଭୟ କ୍ରିକେଟ୍ ବୋର୍ଡ ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ପାଇଁ ଏକ ଶକ୍ତ ଧକ୍କା । ଏହି ସିରିଜ୍ ଆୟୋଜନ ନେଇ ସିଏସ୍‌ଏର ବିଫଳତା ପରେ ଶ୍ରୀଲଙ୍କା, ପାକସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଦ୍ୱିପାକ୍ଷିକ ସିରିଜ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦିନିକିଆ ସିରିଜ୍ ପୂର୍ବରୁ କିନ୍ତୁ ଦୁଇ ଦଳ ମଧ୍ୟରେ ତିନିଟିକିଆ ଟି୨୦ ସିିରିଜ୍ ସଫଳତାର ସହ ଆୟୋଜନ ହୋଇଥିଲା । ଟି୨୦ ସିରିଜକୁ ଇଂଲଣ୍ଡ ୩-୦ରେ କ୍ଲିନ୍ ସୁଇପ୍ କରିଥିଲା ।

Comments are closed.