କାଲିଠୁ ସଂସଦର ବଜେଟ୍ ଅଧିବେଶନ, ରାଷ୍ଟ୍ରପତିଙ୍କ ସମ୍ବୋଧନକୁ ବର୍ଜନ କରିବେ କଂଗ୍ରେସ ସମେତ ୧୬ ବିରୋଧୀ ଦଳ

ନୂଆଦିଲ୍ଲୀ – ସଂସଦର ବଜେଟ୍ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ପ୍ରଥମ ଦିନରେ ସଂସଦର ଯୁଗ୍ମ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ କରିବେ । ତେବେ ତିନି କୃଷି ଆଇନ ପ୍ରତିବାଦରେ କଂଗ୍ରେସ ସମେତ ୧୬ ବିରୋଧୀ ଦଳ ଏକାଠି ହୋଇଛନ୍ତି । ସେମାନେ ରାଷ୍ଟ୍ରପତିଙ୍କ ସମ୍ବୋଧନକୁ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏହି ସୂଚନା ଦେଇଛନ୍ତି । ବିରୋଧୀ ଦଳମାନଙ୍କ ତରଫରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, କୃଷି ଆଇନ ବିରୋଧରେ ଚାଷୀଙ୍କ ଦାବିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସରକାରର ଅହଙ୍କାର, ଜିଦ୍‌ଖୋର ଓ ଅଗଣତାନ୍ତ୍ରିକ ମନୋଭାବରେ କୌଣସି ପରିବର୍ତ୍ତନ ଆସିନାହିଁ । ସରକାରଙ୍କ ଏଭଳି ଅସମ୍ବେଦନଶୀଳତାରେ ସ୍ତବ୍ଧ ଆମେ ସବୁ ବିରୋଧୀ ଦଳ ତିନିି କୃଷି ଆଇନକୁ ରଦ୍ଦ କରିବା ପାଇଁ ଦାବି ଦୋହରାଇବା ସହ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ ।

ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆମ୍ ଆଦମୀ ପାର୍ଟି (ଆପ୍‌) ମଧ୍ୟ ରାଷ୍ଟ୍ରପତିଙ୍କ ସମ୍ବୋଧନକୁ ବର୍ଜନ କରିବ । ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ, ଆମେ ତିନି କୃଷି ଆଇନକୁ ବିରୋଧ କରୁଛୁ ଓ କରିବୁ । ତେଣୁ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଆମେ ବର୍ଜନ କରିବୁ ।
କଂଗ୍ରେସ ବ୍ୟତୀତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ନ୍ୟାସନାଲ କନଫରେନ୍ସ, ଡିଏମ୍‌କେ, ତୃଣମୂଳ କଂଗ୍ରେସ, ଶିବସେନା, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ପିଡିପି ଆଦି ଦଳ ରାଷ୍ଟ୍ରପତିଙ୍କ ସମ୍ବୋଧନ ବର୍ଜନ କରିବେ ।

Comments are closed.