କୃଷକଙ୍କ ଟ୍ରାକ୍ଟର ପରେଡ୍‌କୁ ଦିଲ୍ଳୀ ପୋଲିସର ଅନୁମତି

ନୂଆଦିଲ୍ଲୀ – କୃଷକଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଇଁଛି ଦିଲ୍ଲୀ ପୋଲିସ୍ । ତିନି କୃଷି ଆଇନ ବିରୋଧରେ ଜାନୁୟାରୀ ୨୬ରେ ରାଜଧାନୀ ନଗରୀରେ କୃଷକ ସଂଗଠନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ପରେଡ୍‌କୁ ଦିଲ୍ଲୀ ପୋଲିସ୍ ଅନୁମତି ଦେଇଛି । କୃଷକଙ୍କ ଏହି ଟ୍ରାକ୍ଟର ପରେଡ୍ ଦିଲ୍ଲୀର ଗାଜିପୁର, ସିଂଘୁ ଓ ଟିକିରି ସୀମାରୁ ବାହାରିବ । ଆଜି ରାତି ସୁଦ୍ଧା ଏନେଇ ପ୍ରସ୍ତୁତି ଚୂଡାନ୍ତ ହେବ ବୋଲି କୃଷକ ନେତା ଅଭିମନ୍ୟୁ କୋହାର କହିଛନ୍ତି । ଦିଲ୍ଲୀରେ ଟ୍ରାକ୍ଟର ପରେଡ୍ କରିବାକୁ ପୋଲିସ ତରଫରୁ ସବୁଜ ସଙ୍କେତ ମିଳିଥିବା ସେ ସ୍ପଷ୍ଟ କରିଛନ୍ତି ।

ଏହି ଟ୍ରାକ୍ଟର ପରେଡ୍‌ରେ ହଜାର ହଜାର ଚାଷୀ ଯୋଗଦେବେ । ତେଣୁ ଗୋଟିଏ ରୁଟ୍‌ରେ ଏହି ପରେଡ୍ ବାହାର କରିବା ସମ୍ଭବପର ନୁହେଁ । କେଉଁ ସବୁ ରୁଟ୍‌ରୁ ଏହି ରାଲି ବାହାର କରାଯିବ ସେନେଇ ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ସ୍ୱରାଜ ଇଣ୍ଡିଆ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଦିଲ୍ଲୀ ସୀମାରୁ ସବୁ ବ୍ୟାରିକେଡ୍ ହଟାଯିବ । ଜାନୁୟାରୀ ୨୬ରୁ ଚାଷୀମାନେ ଟ୍ରାକ୍ଟର ପରେଡରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।

ଟ୍ରାକ୍ଟର ପରେଡ୍‌କୁ ଅନୁମତି ଦେବାକୁ ଦିଲ୍ଲୀ ପୋଲିସ୍ ପ୍ରଥମେ ରାଜି ହୋଇନଥିଲା । ଏନେଇ ଉଭୟ ପକ୍ଷ ମଧ୍ୟରେ ପାଞ୍ଚ ଥର ଆଲୋଚନା ହୋଇଥିଲା । ଟ୍ରାକ୍ଟର ପରେଡ୍ ଦିଲ୍ଲୀ ବାହାରେ କରିବାକୁ କୃଷକ ମାନଙ୍କୁ ବୁଝାଇବାକୁ ପୋଲିସ୍ ଚେଷ୍ଟା କରିଥିଲା । କିନ୍ତୁ କୃଷକ ସଂଗଠନ ଦିଲ୍ଲୀରେ ହିଁ ଏହି ପରେଡ୍ ଆୟୋଜନ କରିବାକୁ ଅଡ଼ି ବସିଥିଲେ । ଶେଷରେ କୃଷକ ମାନଙ୍କ ଜିଦ୍ ଆଗରେ ଦିଲ୍ଲୀ ପୋଲିସକୁ ନଇଁବାକୁ ପଡିଛି । ଆଜି ହୋଇଥିବା ବୈଠକରେ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍ ପାଇଁ ପୋଲିସ୍ କୃଷକ ସଂଗଠନଙ୍କୁ ଅନୁମତି ଦେଇଛି ।

Comments are closed.