କୋକେନ୍ ସହ ଗିରଫ ହେଲେ ବିଜେପି ଯୁବ ନେତ୍ରୀ

କୋଲକାତା – ନିଶାଦ୍ରବ୍ୟ କାରବାର ଅଭିଯୋଗରେ କୋଲକାତା ପୋଲିସ୍ ଜଣେ ବିଜେପି ଯୁବ ନେତ୍ରୀ ପାମେଲା ଗୋସ୍ୱାମୀଙ୍କୁ ଗିରଫ କରିଛି । ତାଙ୍କୁ ଶୁକ୍ରବାର ଦକ୍ଷିଣ କୋଲକାତାର ନ୍ୟୁ ଆଲିପୁର ଅଞ୍ଚଳରୁ ଗିରଫ କରାଯାଇଥିଲା ।

ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଥିବା ପାମେଲା ତାଙ୍କର ଜଣେ ବନ୍ଧୁ ପ୍ରବୀର କୁମାର ଦେ’ଙ୍କ ସହ କାର୍‌ରେ ଆସୁଥିବା ବେଳେ ପୋଲିସ୍ ସେମାନଙ୍କୁ ଧରିଥିଲା । ପାମେଲାଙ୍କ କାର୍‌ରେ ଥିବା ଏକ ହ୍ୟାଣ୍ଡ୍‌ବ୍ୟାଗ୍‌ରୁ ପ୍ରାୟ ୧୦୦ ଗ୍ରାମ୍ କୋକେନ୍ ଜବତ କରାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସ୍ ପାମେଲଙ୍କା କାର୍‌ର ପିଛା କରିଥିଲା । ନ୍ୟୁ ଆଲିପୁର ଅଞ୍ଚଳରେ ପାମେଲା ତାଙ୍କ କାର୍‌କୁ ପାର୍କିଂ କରୁଥିବା ବେଳେ ପୋଲିସ୍ ତାଙ୍କୁ ଓ ତାଙ୍କ ବନ୍ଧୁଙ୍କୁ ଗିରଫ କରିଥିଲା । ପୋଲିସ୍ କହିଛି ଯେ, ପାମେଲା ବହୁଦିନ ଧରି ନିଶାଦ୍ରବ୍ୟ କାରବାର କରୁଥିଲେ । ପ୍ରବୀର ତାଙ୍କୁ ଡ୍ରଗ୍ସ ଯୋଗାଉଥିଲା । ଉଭୟେ ଆଜି ଆଉ ଜଣେ ବ୍ୟକ୍ତିଙ୍କୁ ଡ୍ରଗ୍ସ ଦେବାକୁ ଆଲିପୁର ଆସୁଥିବା ସୂଚନା ମିଳିବା ପରେ ସେମାନଙ୍କୁ ନାଲିହାତରେ ଧରିବା ପାଇଁ ପୋଲିସ୍ ଯୋଜନା କରିଥିଲା । ପାମେଲାଙ୍କ କାର୍‌କୁ ଏକ ପୋଲିସ୍ ଦଳ ପିଛା କରିଥିଲା । ଆଲିପୁରରେ ପହଞ୍ôଚବା ପରେ ପାମେଲା ଓ ତାଙ୍କ ବନ୍ଧୁଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରହିଛି ବୋଲି ପୋଲିସ୍ ତରଫରୁ କୁହାଯାଇଛି ।

ପାମେଲାଙ୍କ ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଇନ ତା ବାଟରେ ଯିବ ବୋଲି ବିଜେପି କହିଛି ।

Comments are closed.