କୋଭିଡ୍‌-୧୯ ପାଇଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଏହି ନିର୍ବାଚନ ଜୁନ୍ ୨୩ରେ ହେବ ବୋଲି ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଥିଲା । ତେବେ ଦେଶରେ କରୋନା ସଂକ୍ରମଣର ଭୟାବହ ସ୍ଥିତି ଯୋଗୁଁ ଦଳର ବହୁ ନେତା ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ନିର୍ବାଚନର ନୂଆ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ । ନିର୍ବାଚନ ଯାଏଁ ସୋନିଆ ଗାନ୍ଧି ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇବେ ।

ଆଜି ବସିଥିବା କାର୍ଯ୍ୟକାରିଣୀ ବୈଠକରେ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଦଳର ବିଫଳତା ଉପରେ ଆଲୋଚନା ହୋଇଥିଲା । ବିଧାନସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ଗମ୍ଭୀରତାର ସହ ନେବାକୁ ପଡିବ ବୋଲି ସୋନିଆ କହିଛନ୍ତି । ଏହି ନିର୍ବାଚନରେ ପରାଜୟ ଆମକୁ ନିଜ ଘର ସଜାଡିବାକୁ ସନ୍ଦେଶ ଦେଇଛି । ଆମେ କାହିଁକି ଆଶାନୁରୂପ ଭାବେ ପ୍ରଦର୍ଶନ କରିପାରିନାହୁଁ ତାହାର ସମୀକ୍ଷା କରାଯିବା ଉଚିତ ବୋଲି ସୋନିଆ କହିଥିଲେ ।

Comments are closed.