କୋଭିଡ୍ ନିୟମାବଳି ମଧ୍ୟରେ ଆଜିଠାରୁ ରାଜ୍ୟରେ ଖୋଲିଲା ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ବର: ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ତରଫରୁ ଫେବୃଆରୀ ମାସ ପାଇଁ ଜାରି କରାଯାଇଥିବା କୋଭିଡ ଗାଇଡ୍‌ଲାଇନ ଆଧାରରେ ଆଜି ଦୀର୍ଘ ୧୦ମାସ ପରେ ଆବଦ୍ଧ ଅଞ୍ଚଳ ବ୍ୟତୀତ ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲାଯାଇଛି । ମହିଳା ଓ ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଏସ୍ଓପି ଅନୁସାରେ ଗତ ଦୁଇଦିନ ଧରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିଶୋଧନ କରାଯାଇଥିଲା ।

ପ୍ରତ୍ୟହ ଦିନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଦୁଇଘଣ୍ଟା ଅଙ୍ଗନବାଡ଼ି ଖୋଲିବା ନିମନ୍ତେ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିବା ପରେ ସେମାନଙ୍କୁ ହାତ ପରିଷ୍କାର କରି ଧୋଇବା ସହ ପାରମ୍ପରିକ ରୀତିନୀତିରେ ପୁଷ୍ପ ଦେଇ ସ୍ୱାଗତ କରାଯାଇଥିଲା । ପିଲାମାନେ ବହୁ ଦିନ ପରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଲାଭ ପାଇଁ କେନ୍ଦ୍ରକୁ ଆସିଥିବାରୁ ଅତ୍ୟନ୍ତ ଖୁସି ଥିଲେ । ସେମାନଙ୍କୁ କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ ପରିବେଷଣ କରାଯାଇଥିଲା ।

ଏହାବ୍ୟତୀତ ଆଜି ମାସର ୧ ତାରିଖ ହୋଇଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଗର୍ଭବତୀ , ପ୍ରସୂତୀ ମହିଳା ତଥା ଶିଶୁମାନଙ୍କ ପାଇଁ ଟେକ୍ ହୋମ୍ ରାସନ ବଣ୍ଟନ କରାଯାଇଥିଲା । କେତେକ ସ୍ଥଳରେ ପୂର୍ବାହ୍ନ ୧୧ଟା ପରେ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀମାନଙ୍କ ଘରେ ପହଞ୍ଚି ଶୁଖୁଲା ରାସନ୍ ବଣ୍ଟନ କରିଥିଲେ । ଏହିସବୁ କାର୍ଯ୍ୟକ୍ରମ ସମୟରେ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଦର ମହକୁମା ଏବଂ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବୁଲି ଦେଖୁବା ସହ ଏହାର ପରିଚାଳନା ବ୍ୟବସ୍ଥାକୁ ତଦାରଖ କରିଛନ୍ତି । ଅନେକଗୁଡ଼ିଏ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସ୍ଵାଗତ କରିବା ନିମେନ୍ତ ସାଜସଜ୍ଜା କରିଥିବା ମଧ୍ୟ ଦେଖୁବାକୁ ମିଳିଛି । ପିତାମାତା ଓ ଅଭିଭାବକମାନେ ଦୀର୍ଘଦିନ ପରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଥିବାରୁ ଏବଂ ଉତ୍ତମ ପରିଚାଳନା ବ୍ୟବସ୍ଥା କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରାୟ ସମସ୍ତ କେନ୍ଦ୍ରରେ ଅଧୁକାଂଶ ଶିଶୁ ଉପସ୍ଥିତ ଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.