କ୍ରିକେଟର ସବୁ ଫର୍ମାଟରୁ ବିନୟ କୁମାରଙ୍କ ଅବସର

ବେଙ୍ଗାଲୁରୁ – ଭାରତର ଦ୍ରୁତ ବୋଲର ବିନୟ କୁମାର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଟ୍ୱିଟରରେ ଏକ ପୋଷ୍ଟ ଜରିଆରେ ବିନୟ ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି ।

ବିନୟ ଭାରତ ତରଫରୁ ୩୧ଟି ଦିନିକିଆ, ୯ଟି ଟି୨୦ ଓ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ଆଜି ଟ୍ୱିଟ୍ କରି ନିଜ ଅବସର ସମ୍ପର୍କରେ ଘୋଷଣା କରିବା ସହ ତାଙ୍କୁ ସୁଯୋଗ ଦେଇଥିବାରୁ ବିସିସିଆଇ ଏବଂ କର୍ଣ୍ଣାଟକ କ୍ରିକେଟ୍ ସଂଘକୁ ଧନ୍ୟବାଦ ଜଣାଇଥିଲେ । ଏହି ୩୭ ବର୍ଷୀୟ ବୋଲର ପ୍ରତିନିଧିତ୍ୱ କରିଥିବା ଚାରି ଆଇପିଏଲ୍ ଫ୍ରାଞ୍ଚାଇଜଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଏମଏସ୍ ଧୋନି ଓ ରାହୁଲ ଦ୍ରାବିଡଙ୍କ ଭଳି କ୍ରିକେଟରଙ୍କ ନେତୃତ୍ୱରେ ଖେଳିବା ଅନଭୂତି ସ୍ୱତନ୍ତ୍ର ଥିଲା ବୋଲି ବିନୟ କହିଛନ୍ତି । ବିନୟ ଅନ୍ତର୍ଜାତୀୟ ଦିନିକିଆରେ ୩୮ଟି ୱିକେଟ୍ ନେଇଥିଲେ । ଏହି ଫର୍ମାଟରେ ସେ ଇଂଲଣ୍ଡ ବିପକ୍ଷରେ ନିଜର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ । ସେହି ମ୍ୟାଚରେ ସେ ୩୦ ରନ୍ ଦେଇ ଚାରିଟି ୱିକେଟ୍ ନେଇଥିଲେ । ଟି୨୦ରେ ସେ ୧୦ଟି ୱିକେଟ୍ ହାସଲ କରିଛନ୍ତି ।

ବିନୟ କୁମାର ଘରୋଇ କ୍ରିକେଟ୍‌ରେ କର୍ଣ୍ଣାଟକର ପ୍ରତିନିଧିତ୍ୱ କରୁଥିଲେ । ଘରୋଇ କ୍ରିକେଟରେ ସେ ୧୩୯ ପ୍ରଥମ ଶ୍ରେଣୀ ମ୍ୟାଚରୁ ୫୦୦ରୁ ଊର୍ଦ୍ଧ୍ୱ ୱିକେଟ୍ ନେଇଛନ୍ତି ।

Comments are closed.