କ୍ରିକେଟ୍‌କୁ ଅଲ୍‌ବିଦା କଲେ ୟୁସୁଫ୍ ପଠାନ

ନୂଆଦିଲ୍ଲୀ –କ୍ରିକେଟ୍‌କୁ ଅଲ୍‌ବିଦା କରିଛନ୍ତି ଟିମ୍ ଇଣ୍ଡିଆ ଅଲରାଉଣ୍ଡର ୟୁସୁଫ୍ ପଠାନ । ଦୁଇ ଦୁଇଟି ବିଶ୍ୱକପ୍‌ର ବିଜେତା ଏହି ଭେଟେରାନ କ୍ରିକେଟର ଶୁକ୍ରବାର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ଟ୍ୱିଟରରେ ଏକ ଭାବବିହ୍ୱଳ ପୋଷ୍ଟ ସହ ନିଜ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିସହ ସେ ତାଙ୍କ ପରିବାର, ବନ୍ଧୁ, ପ୍ରଶଂସକ, ଟିମ୍‌, କୋଚ୍ ଓ ପୂରା ଦେଶକୁ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି ।

ୟୁସୁଫ୍ ହେଉଛନ୍ତି ଭାରତର ପୂର୍ବତନ ଅଲରାଉଣ୍ଡର ଇର୍ଫାନ୍ ପଠାନଙ୍କ ବଡ଼ଭାଇ । ଇର୍ଫାନ୍ ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ।

ୟୁସୁଫ୍ ଭାରତ ତରଫରୁ ୫୭ ଦିନିକିଆ ଓ ୨୨ ଟି୨୦ ଖେଳିଥିଲେ । ସେ ୨୦୦୭ରେ ନିଜ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ସେ ଭାରତ ତରଫରୁ ଦୁଇ ଦୁଇଟି ବିଶ୍ୱକପ୍ ଜିତିଛନ୍ତି । ୨୦୦୭ ଟି୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଦଳର ୟୁସୁଫ୍ ସଦସ୍ୟ ଥିଲେ । ତା’ଛଡ଼ା ସେ କୋଲକାତା ନାଇଟ୍ ରାଇଡର୍ସ ତରଫରୁ ଦୁଇଥର (୨୦୧୨, ୨୦୧୪) ଏବଂ ରାଜସ୍ଥାନ ରୟାଲ୍ସ ପକ୍ଷରୁ (୨୦୦୮) ଥରେ ଆଇପିଏଲ୍ ଟାଇଟଲ୍ ବି ଜିତିଛନ୍ତି ।

ୟୁସୁଫ୍ ଅନ୍ତର୍ଜାତୀୟ ଦିନିକିଆରେ ୮୧୦ ରନ୍ କରିଥିବାବେଳେ ଟି୨୦ରେ ୨୩୬ ରନ୍ କରିଥିଲେ । ଅନ୍ତର୍ଜାତୀୟ ସୀମିତ ଓଭର କ୍ରିକେଟରେ ସେ ୪୬ ୱିକେଟ୍ ବି ହାସଲ କରିଥିଲେ ।

ୟୁସୁଫ୍ ଘରୋଇ କ୍ରିକେଟରେ ବରୋଦା ତରଫରୁ ୧୦୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ଏହି ଅଲରାଉଣ୍‌ହର ୪୮୨୫ ରନ୍ କରିବା ସହ ୨୦୧ ୱିକେଟ୍ ନେଇଥିଲେ । ଲିଷ୍ଟ-ଏ କ୍ରିକେଟରେ ୟୁସୁଫ୍ ୧୯୯ ମ୍ୟାଚରୁ ୪୭୯୭ ରନ୍ ଏବଂ ୧୨୪ ୱିକେଟ୍ ହାସଲ କରିଥିଲେ ।

ୟୁସୁଫ୍ ନିଜ କ୍ୟାରିୟରରେ ୨୭୪ ଟି୨୦ ଖେଳିଥିଲେ । ଏହି ଫର୍ମାଟରେ ସେ ପ୍ରାୟ ୧୪୦ ଷ୍ଟ୍ରାଇକ ରେଟ୍ ସହ ୪୮୫୨ ରନ୍ କରିଛନ୍ତି ଏବଂ ୯୯ ୱିକେଟ୍ ନେଇଛନ୍ତି ।

Comments are closed.