ଗିରଫ ସାମ୍ବାଦିକ ଚୀନ୍ ଏଜେଂଟ୍ : ଚାଂଚଲ୍ୟକର ଖୁଲାସା କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ – ଚୀନର ଗୁଇନ୍ଦା ଏଜେନସୀ ପାଇଁ ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗରେ ଗିରଫ ହୋଇଥିବା ଫ୍ରିଲାନ୍ସ ସାମ୍ବାଦିକ ରାଜୀବ ଶର୍ମା ପ୍ରତିରକ୍ଷା ସଂପର୍କିତ ସମ୍ବେଦନଶୀଳ ସୂଚନା ପ୍ରଦାନ କରି ଗତ ଦେଢ ବର୍ଷରେ ୪୦ ଲକ୍ଷ ଟଙ୍କା ପାଇଛନ୍ତି । ରାଜୀବ ଶର୍ମାଙ୍କୁ ପ୍ରତି ସୂଚନା ପାଇଁ ୧ ହଜାର ଡଲାର ମିଳୁଥିଲା । ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ ଡିସିପି ସଂଜୀବ କୁମାର ଯାଦବ ଶନିବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏହି ଚାଂଚଲ୍ୟକର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ରାଜୀବ ଶର୍ମା ଚୀନ ଖବରକାଗଜ ଗ୍ଲୋବାଲ ଟାଇମସରେ ପ୍ରତିରକ୍ଷା ସଂପର୍କରେ ଲେଖାଲେଖି କରୁଥିଲେ । ୨୦୧୬ରେ ସେ ଚୀନ ଏଜେଂଟଙ୍କ ଯୋଗାଯୋଗରେ ଆସିଥିଲେ । ଏହାଛଡା ସେ ଚୀନର କିଛି ଗୁଇନ୍ଦା ଅଧିକାରୀଙ୍କ ସହ ବି ସଂପର୍କରେ ଥିଲେ । କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍‌ସୀ ସୂଚନା ଆଧାରରେ ରାଜୀବ ଶର୍ମାଙ୍କୁ ଗତ ୧୪ ତାରିଖରେ ଗିରଫ କରଯାଇଥିଲା । ତାଙ୍କ ପାଖରୁ ପ୍ରତିରକ୍ଷା ମନ୍ତ୍ରାଳୟର ଗୋପନୀୟ କାଗଜପତ୍ର ମିଳିଥିଲା ବୋଲି ଦାବି କରିଛି ଦିଲ୍ଲୀ ପୋଲିସ । ରାଜୀବ ଶର୍ମାଙ୍କୁ ପଚରାଉଚୁରା କଲା ପରେ ଚୀନ୍‌ର ଏକ ମହିଳା ଓ ତାଙ୍କର ନେପାଳି ସହଯୋଗୀକୁ ଗିରଫ କରାଯାଇଥିଲା ।

Comments are closed.