ଗୁଜୁରାଟ: କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୮ ରୋଗୀ ମୃତ

ଅହମ୍ମଦାବାଦ: ଗୁଜୁରାଟର ଭରୁଚର ପଟେଲ ୱେଲଫେୟାର କୋଭିଡ ହସ୍ପିଟାଲରେ ଶୁକ୍ରବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଚାରି ମହଲା ଡାକ୍ତରଖାନାରେ ୫୦ ରୋଗୀ ଚିକିତ୍ସିତ ହେଉଥିଲେ। ସମସ୍ତଙ୍କୁ ସିଭିଲ ହସ୍ପିଟାଲ, ସେବାଶ୍ରମ ହସ୍ପିଟାଲ ଏବଂ ଜାମ୍ବୁସର ଅଲ ମେହମୁଦ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ରୋଗୀଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ରାତି ପ୍ରାୟ ସାଢେ ୧୨ଟା ବେଳେ ହସ୍ପିଟାଲରେ ନିଆଁ ଲାଗି ଆଇସିୟୁକୁ ଦ୍ରୁତ ଗତିରେ ବ୍ୟାପିଥିଲ | କିଛି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା | ଉଦ୍ଧାର କାର୍ଯ୍ୟ ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା। ପ୍ରାରମ୍ଭିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି ।

Comments are closed.