ଚକା ଜାମ୍‌: ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀ ମାନଙ୍କ ଦ୍ୱାରା ଦେଶବ୍ୟାପୀ ଆଜି ଦିଆଯାଇଥିବା ‘ଚକା ଜାମ୍‌’ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଷୀମାନେ ପଞ୍ଜାବ, ହରିୟାଣା ସମେତ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରିଥିଲେ ।

ତିନି ଘଣ୍ଟା ଧରି ହୋଇଥିବା ଚକାଜାମ୍ ଦ୍ୱାରା କାଶ୍ମୀର ଠାରୁ ତେଲେଙ୍ଗାନା ଯାଏଁ ପ୍ରଭାବ ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ଚକାଜାମ୍ ପାଳନ ନ କରିବାକୁ କୃଷକ ସଂଗଠନମାନେ ନିଷ୍ପତ୍‌ି ନେଇଥିଲେ ମଧ୍ୟ ରାଜଧାନୀ ନଗରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଦିଲ୍ଲୀକୁ ସଂଯୋଗ କରୁଥିବା ଯମୁନା ଏକ୍ସପ୍ରେସୱେରେ ହଜାର ହଜାର ଚାଷୀ ଧାରଣାରେ ବସିଥିଲେ । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଲୋକମାନେ ବହୁ ସମୟ ଧରି ରାସ୍ତାରେ ଅଟକି ରହିଥିଲେ । ଅନ୍ୟପକ୍ଷେ ପଞ୍ଜାବ ଓ ହରିୟାଣାର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ।

ଚାଷୀମାନଙ୍କ ‘ଚକା ଜାମ୍‌’ ଡାକରାକୁ କଂଗ୍ରେସ ସମେତ ଅନେକ ଦଳ ସମର୍ଥନ ଜଣାଇଥିଲେ । ଗତ ଦୁଇ ମାସରୁ ଊର୍ଦ୍ଧ୍ୱ କାଳ ଧରି ଚାଷୀମାନେ କେନ୍ଦ୍ରର ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି । ସେମାନେ ଏହି ତିନି ଆଇନକୁ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ।

Comments are closed.