ଜେଲରେ କରୋନା ସଂକ୍ରମଣ ବ୍ୟାପିବା ନେଇ ସୁପ୍ରିମକୋର୍ଟ ଚିନ୍ତିତ, କଏଦୀଙ୍କୁ ଜାମିନରେ ଛାଡ଼ିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ

ନୂଆଦିଲ୍ଲୀ: ଜେଲରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଅଧିକାଂଶ କଏଦୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସମସ୍ତ ରାଜ୍ୟରେ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗତ ବର୍ଷ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ବନ୍ଦୀମାନଙ୍କୁ ମୁକ୍ତ କରିବା ଉପରେ ନିଷ୍ପତ୍ତି ନେବା ଉଚିତ୍। ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶରେ କଏଦୀମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇଥିଲା। ତା’ପରେ ମୁକ୍ତ ହୋଇଥିବା ସମସ୍ତ ବନ୍ଦୀମାନେ ଜେଲକୁ ଫେରିଛନ୍ତି। କ୍ଷମତାରୁ ଅଧିକ କଏଦୀ ଥିବା କାରାଗାରରେ ବନ୍ଦୀ ଓ କର୍ମଚାରୀମାନେ ସଂକ୍ରମିତ ହେଉଛନ୍ତି। ଗତକାଲି ପ୍ରଧାନ ବିଚାରପତି ଏନ.ଭି ରାମନ୍ନାଙ୍କ ନିକଟରେ ଏହି ପ୍ରସଙ୍ଗରେ ମାମଲା ଦାୟର କରାଯାଇଥିଲା। ଏହା ପରେ ଏହି ଆଦେଶ ଆସିଛି |

ଦୀର୍ଘ ଦିନ ପରେ ଶୁକ୍ରବାର ଏହି ମାମଲା କୋର୍ଟରେ ଉଠିଥିଲା। ବରିଷ୍ଠ ଆଡଭୋକେଟ୍ କଲିନ୍ ଗୋଞ୍ଜାଲଭିସ୍ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ବେଞ୍ଚକୁ କହିଛନ୍ତି ଯେ କରୋନା ସଂକ୍ରମଣ କମିବା ପରେ ପ୍ରାୟ ସବୁ କଏଦୀମାନେ ଜେଲକୁ ଫେରିଛନ୍ତି। ଏହି ସମୟରେ ଅଧିକାଂଶ ଜେଲରେ କଏଦୀଙ୍କ ଭିଡ଼ ରହିଛି। ଏହି ପରିପ୍ରେକ୍ଷୀରେ କୋର୍ଟ ତୁରନ୍ତ ନିର୍ଦ୍ଦେଶ ଦେବା ଉଚିତ୍। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏନେଇ ନିଷ୍ପତ୍ତି ନେବାରେ ସମୟ ନଷ୍ଟ କରିବା ଅପେକ୍ଷା ଯଦି କୋର୍ଟ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଏଦୀମାନଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଥାନ୍ତେ ତେବେ ଭଲ ହେଇଥାନ୍ତା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରମନ୍ନା ତାଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ସେ ମଧ୍ୟ ହାଇକୋର୍ଟର ସମସ୍ତ ପ୍ରଧାନ ବିଚାରପତିଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବେ ଯଦ୍ୱାରା ପ୍ରକ୍ରିୟା ସହଜ ହୋଇପାରିବ।

ଆଜି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶକୁ ନିଜ ୱେବସାଇଟରେ ଅପଲୋଡ୍ କରିଛନ୍ତି। ଏଥିରେ କୁହାଯାଇଛି ଯେ ରାଜ୍ୟରେ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗତ ବର୍ଷ ଜାରି କରାଯାଇଥିବା ନିର୍ଦ୍ଦେଶନାମା ପାଳନ କରିବା ଉଚିତ। ଗତ ବର୍ଷ ମୁକ୍ତ ହୋଇଥିବା ବନ୍ଦୀମାନଙ୍କୁ ପୁଣି ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯିବା ଉଚିତ୍। ଗତ ବର୍ଷ ପାରୋଲ ପାଇଥିବା କଏଦୀଙ୍କୁ ଏଥର ୯୦ ଦିନ ପାଇଁ ମୁକ୍ତ କରାଯାଉ। ବର୍ତ୍ତମାନ ସମୟରେ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଗିରଫଦାରୀ ହେଉ |

Comments are closed.