ଜୟ ଶାହ ହେଲେ ଏସୀୟ କ୍ରିକେଟ୍ ପରିଷଦର ସଭାପତି

ନୂଆଦିଲ୍ଲୀ – ଏସୀୟ କ୍ରିକେଟ୍ ପରିଷଦରେ ଏବେ ଭାରତର ଦବଦବା ଦେଖିବାକୁ ମିଳିବ । ବିସିସିଆଇ ସମ୍ପାଦକ ଜୟ ଶାହ ଏସିଆ କ୍ରିକେଟ୍ ପରିଷଦର ନୂଆ ସଭାପତି ହୋଇଛନ୍ତି । ଜୟ ଶାହା ବାଂଲାଦେଶର ନଜମୁଲ ହାସନଙ୍କ ସ୍ଥାନ ନେଇଛନ୍ତି ।

ଶନିବାର ବିସିସିଆଇ ସମ୍ପାଦକ ଜୟ ଶାହ ସର୍ବସମ୍ମତି କ୍ରମେ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଶାହା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ମୁଖ୍ୟ ନଜମୁଲ ହାସନ ପାପନଙ୍କ ସ୍ଥାନ ନେବେ । ୩୨ ବର୍ଷୀୟ ଶାହ ହେଉଛନ୍ତି ଏସିସିର ସର୍ବକନିଷ୍ଠ ସଭାପତି ।

ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ସିଂ ଧୁମଲ ଟ୍ୱିଟରରେ ଏହି ଖବର ସେୟାର କରିଛନ୍ତି। ଧୁମଲ ଲେଖିଛନ୍ତି, ଏସିଆ କ୍ରିକେଟ୍ ପରିଷଦର ସଭାପତି ହୋଇଥିବାରୁ ଜୟ ଶାହାଙ୍କୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ ଏସିସି ଆପଣଙ୍କ ନେତୃତ୍ୱରେ ନୂତନ ଉଚ୍ଚତାକୁ ଛୁଇଁବ ଏବଂ ଏସୀୟ ଅଞ୍ଚଳର କ୍ରିକେଟରମାନେ ଉପକୃତ ହେବେ। ଏକ ସଫଳ କାର୍ୟ୍ୟ୍କାଳ ପାଇଁ ମୋର ଶୁଭେଚ୍ଛା ।

ଏସିସି ପାଖରେ ଏସିଆ କପ୍ ଟୁର୍ନାମେଣ୍ଟ ଆୟୋଜନ କରିବାର ଦାୟିତ୍ବ ରହିଛି। କୋଭିଡ -୧୯ ମହାମାରୀ କାରଣରୁ ୨୦୨୦ ରେ ହେବାକୁ ଥିବା ଏସିଆ କପ୍ ଚଳିତ ବର୍ଷ ଜୁନ୍ କୁ ଘୁଞ୍ଚାଇ ଦିଆଯାଇଥିଲା। ପ୍ରଥମେ ପାକିସ୍ତାନ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର ଥିଲା କିନ୍ତୁ ବର୍ତ୍ତମାନ ଏହା ଶ୍ରୀଲଙ୍କା କିମ୍ବା ବାଂଲାଦେଶରେ ଅନୁଷ୍ଠିତ ହୋଇପାରେ।

Comments are closed.