ଟାଟା ସନ୍ସର ବଡ଼ ବିଜୟ, ସାଇରସ ମିସ୍ତ୍ରୀଙ୍କୁ ହଟାଯିବା ନିଷ୍ପତ୍ତି କୁ ଠିକ୍ ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ଟାଟା ସନ୍ସ ଓ ଶାପୁରଜୀ ପାଲୋନ୍‌ଜୀ ଗ୍ରୁପ୍ ଦାୟାଦ୍ ସାଇରସ୍ ମିସ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି । ଟାଟା ଗ୍ରୁପର ଅଧ୍ୟକ୍ଷ ପଦରୁ ମିସ୍ତ୍ରୀଙ୍କୁ ହଟାଯିବା ନିଷ୍ପତ୍ତିକୁ ଆଇନତଃ ଠିକ୍ ବୋଲି କହିଛନ୍ତି କୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପ୍ରତୀକ୍ଷିତ ରାୟ ପରେ ଟାଟା ଗ୍ରୁପ୍‌ର କ୍ଷମତା ଲଢ଼େଇରେ ଟାଟା ସନ୍ସର ବଡ଼ ବିଜୟ ହୋଇଛି ।

ସେୟାର ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ଏହି ମାମଲାରେ ଉଭୟ ପକ୍ଷ ଆପୋସ ବୁଝାମଣା କରିବେ ବୋଲି କୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଟାଟା ସନ୍ସ ଓ ଶାପୁରଜୀ ପାଲୋଜନୀ ଗ୍ରୁପ ବିବାଦରେ ସୁପ୍ରିମକୋର୍ଟ ଡିସେମ୍ବର ୧୭ରେ ରାୟ ସଂରକ୍ଷିତ ରଖିଥିଲେ ।

ସାଇରସ ମିସ୍ତ୍ରୀଙ୍କୁ ୨୦୧୨ରେ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରାଯାଇଥିଲା । ତେବେ ୨୦୧୬ରେ କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟରଙ୍କ ନିଷ୍ପତ୍ତି କ୍ରମେ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା । ମିସ୍ତ୍ରୀଙ୍କୁ ହଟାଯିବା ବିରୋଧରେ ଶାପୁରଜୀ ପାଲୋନ୍‌ଜୀ ଗ୍ରୁପ୍ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି)ର ଦ୍ୱାରସ୍ଥ ହୋଇଥିଲା । ଏନ୍‌ସିଏଲଟି ମିସ୍ତ୍ରୀଙ୍କୁ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଭାବେ ପୁଣି ଅବସ୍ଥାପିତ କରିବାକୁ ଆଦେଶ ଦେଇଥିଲେ । ଏନ୍‌ସିଏଲ୍‌ଟିର ଏହି ରାୟକୁ ଟାଟା ସନ୍ସ ସୁପ୍ରିମକୋର୍ଟରେ ଚାଲେଞ୍ଜ୍ କରିଥିଲା ।

ଟାଟା ଗ୍ରୁପ୍ ଅଫ୍ କମ୍ପାନିଜ୍ ରେ ଟାଟା ସନ୍ସର ୬୬% ଅଂଶଧନ ରହିଥିବା ବେଳେ ଶାପୁରଜୀ ପାଲୋନ୍‌ଜୀର ୧୮.୩୭% ଅଂଶଧନ ଅଛି ।

Comments are closed.