ତୃତୀୟ ଦିନିକିଆରେ ୭ ରନ୍‌ର ରୋମାଞ୍ଚକର ବିଜୟ ସହ ୨-୧ରେ ସିରିଜ୍ ଜିତିଲା ଭାରତ, ତିନି ଫର୍ମାଟରେ ଇଂଲଣ୍ଡର ମୂଳପୋଛ

ପୁଣେ – ଟେଷ୍ଟ ଓ ଟି-୨୦ ପରେ ଭାରତ ଦିନିକିଆ ସିରିଜ୍ ବି କବ୍‌ଜା କରିଛି । ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ରୋମାଞ୍ଚକର ବିଜୟ ସହ ତିନି ଟିକିଆ ସିରିଜକୁ ୨-୧ରେ ଜିତିନେଇଛି ଟିମ୍ ଇଣ୍ଡିଆ । ତିନୋଟି ଯାକ ସିରିଜ ଜିତି ଇଂଲଣ୍ଡର ମୂଳପୋଛ କରିଛି ଭାରତ । ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ରେ ଜିତିଥିବା ବେଳେ ପାଞ୍ଚ ଟିକିଆ ଟି-୨୦ ସିରିଜକୁ ୩-୨ରେ ହାତେଇଥିଲା ।

ଭାରତ ପ୍ରଥମେ ବ୍ୟାଟିଂ କରି ୪୮.୨ ଓଭରରେ ୩୨୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ୯ ୱିକେଟ୍ ହରାଇ ୩୨୨ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଇଂଲଣ୍ଡର ଦୁଇ ଓପନର ଜାସନ ରୟ(୧୪) ଓ ଜନି ବେୟାରଷ୍ଟୋ(୧)ଙ୍କୁ ସଅଳ ଆଉଟ୍ କରି ଭୁବନେଶ୍ୱର କୁମାର ଭାରତକୁ ଡବଲ ସଫଳତା ଦେଇଥିଲେ । ବିପଜ୍ଜନକ ବେନ୍ ଷ୍ଟୋକ୍ସ (୩୫)ଙ୍କୁ ନଟରାଜନ ଆଉଟ୍ କରିବା ପରେ ଇଂଲଣ୍ଡ ପ୍ରଥମ ୨୦ ଓଭର ମଧ୍ୟରେ ବ୍ୟାକଫୁଟ୍‌କୁ ଠେଲି ହୋଇଯାଇଥିଲା । ହେଲେ ମଧ୍ୟକ୍ରମରେ ଡାବିଡ୍ ମାଲାନ (୫୦) ଓ ଆଠ ନମ୍ବର ବ୍ୟାଟ୍‌ସମ୍ୟାନ ସାମ୍ କରନ୍‌ଙ୍କ ଲଢ଼ୁଆ ଇନିଂସ୍ ବଳରେ ଇଂଲଣ୍ଡ ଶେଷ ପର୍ଯ୍ୟନ୍ତ ଭାରତକୁ ଟକ୍କର ଦେଇଥିଲା । ଇଂଲଣ୍ଡ ନିୟମିତ ୱିକେଟ୍ ହରାଇଥିଲେ ମଧ୍ୟ କରନ୍ ଶେଷ ଓଭର ପର୍ଯ୍ୟନ୍ତ ଭାରତୀୟ ଶିବିରରେ ଛନକା ସୃଷ୍ଟି କରିଥିଲେ । ସେ ୮୩ ବଲ୍‌ରେ ୯ଟି ଚୌକା ଓ ୩ଟି ଛକା ସହାୟତାରେ ଲଢ଼ୁଆ ୯୫ ରନ୍ ସହ ଅପରାଜିତ ରହିଥିଲେ ହେଁ ଭାରତକୁ ବିଜୟରୁ ବଞ୍ଚିତ କରିପାରିନଥିଲେ । ଇଂଲଣ୍ଡ ୭ ରନ୍ ପାଇଁ ବିଜୟଲକ୍ଷ୍ୟରୁ ଦୂରରେ ରହିଯାଇଥିଲା । ଭାରତ ତରଫରୁ ଶାର୍ଦ୍ଦୁଲ ଠାକୁର ୪ଟି ଓ ଭୁବନେଶ୍ୱର କୁମାର ୩ଟି ୱିକେଟ୍ ନେଇଥିଲେ । ଲଢ଼ୁଆ ଇନିଂସ୍ ଖେଳିଥିବା ସାମ୍ କରନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ ଓ ଜନି ବେୟାରଷ୍ଟୋ ମ୍ୟାନ୍ ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି ।

ପୂର୍ବରୁ ଭାରତ ପୁଣିଥରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ରୋହିତ (୩୭) ଓ ଧାୱନ୍ (୬୭) ଦଳକୁ ପୁଣି ଥରେ ଭଲ ଷ୍ଟାର୍ଟ ଦେଇ ପ୍ରଥମ ୱିକେଟରେ ୧୦୩ ରନ୍ ଯୋଗ କରିଥିଲେ । ହେଲେ ଭାରତ ହଠାତ୍ ଚାରି ଓଭର ମଧ୍ୟରେ ରୋହିତ ଓ ଧାୱନଙ୍କ ସମେତ ଅଧିନାୟକ ବିରାଟ କୋହଲି (୭)ଙ୍କ ୱିକେଟ୍ ହରାଇଥିଲା । କେଏଲ ରାହୁଲ (୭) ମଧ୍ୟ ଶସ୍ତାରେ ଆଉଟ୍ ହୋଇଯାଇଥିଲେ । ଭାରତ ଏକଦା ୧୫୭ ରନରେ ୪ଟି ୱିକେଟ୍ ହରାଇଥିଲା । ହେଲେ ରିଷଭ ପନ୍ତ (୭୮) ଓ ହାର୍ଦ୍ଦିକ ପାଣ୍ଡ୍ୟା (୬୪)ଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ଓ ପଞ୍ଚମ ୱିକେଟରେ ୯୯ ରନର ଭାଗିଦାରୀ ବଳରେ ଦଳୀୟ ସ୍ଥିତି ସୁଧାରିଥିଲେ । ଦୁହିଁଙ୍କ ୱିକେଟ୍ ପରେ ଭାରତ ପୁଣି ସଂଘର୍ଷ କରିଥିଲା । ଦଳ ୪୮.୨ ଓଭରରେ ୩୨୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ।

Comments are closed.