ଧାନ ଦରକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି । ବିଜେପି ନେତା ପ୍ରଦୀପ ପୁରୋହିତ ନିଜେ ବିଧାୟକ ଥିବାବେଳେ ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ଆସିଥିବା ସଙ୍କଳ୍ପକୁ ତାଙ୍କ ଦଳ ଓ ସେ ସମର୍ଥନ କରୁଥିଲେ । ହେଲେ ରାଜନୀତି ପାଇଁ ଏବେ ସବୁ ଭୁଲିଯାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଆରୋପ ଲଗାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ମହାନ୍ତି କହିଛନ୍ତି ଯେ ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାର ସଙ୍କଳ୍ପ ଆଣିଥିଲେ ଓ ଦଳମତ ନିର୍ବିଶେଷରେ ଏହା ଗୃହରେ ପାରିତ ହୋଇଥିଲା । ପୁରୋହିତ ସେତେବେଳେ ବିଜେପି ବିଧାୟକ ଥିଲେ ଏବଂ ଧାନର କୁଇଣ୍ଟାଲ ପ୍ରତି ଦର ୨୯୩୦ ଟଙ୍କା କରିବାପାଇଁ ସରକାର ଆଣିଥିବା ପ୍ରସ୍ତାବକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିଥିଲେ ।

କେନ୍ଦ୍ରରେ ଥିବା ନିଜ ଦଳର ସରକାରଙ୍କୁ ଧାନର ସର୍ବନିମ୍ନ ଦର କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବାକୁ କହିବାପାଇଁ ପୁରୋହିତ ସାହସ କୁଳାଇ ପାରୁନଥିବାବେଳେ ଏବେ କିନ୍ତୁ ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଚାଷୀ ପ୍ରସଙ୍ଗରେ ଏଭଳି ଶସ୍ତା ରାଜନୀତି କରିବା ଅପେକ୍ଷା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାପାଇଁ ତାଙ୍କରି ସମର୍ଥନରେ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବକୁ ସେ ସମର୍ଥନ କରିବା ଆବଶ୍ୟକ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

Comments are closed.