ନନ୍ଦିଗ୍ରାମରେ ହାରିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ହୋଇପାରିବେ ମମତା? ଜାଣନ୍ତୁ କଣ ରହିଛି ନିୟମ..

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସ ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ଦଳର ସୁପ୍ରିମୋ ମମତା ବାନାର୍ଜୀ ହାଇ ପ୍ରୋଫାଇଲ ନନ୍ଦିଗ୍ରାମ ଆସନରୁ ତାଙ୍କର ଏକଦା ସହଯୋଗୀ ଥିବା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ନାଟକୀୟ ଭାବେ ପରାସ୍ତ ହୋଇଛନ୍ତି । ଶେଷ ମିନିଟ୍ ପର୍ଯ୍ୟନ୍ତ ଏହି ଆସନର ଫଳାଫଳ ନେଇ ସସ୍‌ପେନ୍ସ ଜାରି ରହିଥିଲା । ପ୍ରଥମେ ଖବର ଆସିଥିଲା ଯେ, ମମତା ୧୨୦୦ ଭୋଟ୍‌ରେ ଶୁଭେନ୍ଦୁ ଅଧିକାରୀଙ୍କୁ ହରାଇ ଦେଇଛନ୍ତି । ପରେ ମମତା ପରାସ୍ତ ହୋଇଛନ୍ତି ବୋଲି ଖବର ଆସିବାରେ ଲାଗିଲା । ଶେଷରେ ମମତାଙ୍କ ପରାଜୟ ନେଇ ନିର୍ବାଚନ କମିଶନଙ୍କ ବିଧିବଦ୍ଧ ଘୋଷଣା ପରେ ଚିତ୍ର ସ୍ପଷ୍ଟ ହୋଇଥିଲା । ଶୁଭେନ୍ଦୁ ଅଧିକାରୀ ୧୯୫୬ ଭୋଟ୍‌ରେ ମମତାଙ୍କୁ ହରାଇଥିଲେ ।
ଏବେ ପ୍ରଶ୍ନ ଉଠୁଛି ଯେ, ନନ୍ଦିଗ୍ରାମରୁ ହାରିବା ସତ୍ତ୍ୱେ ମମତା କଣ ମୁଖ୍ୟମନ୍ତ୍ରୀ ହୋଇପାରିବେ? ଏହି ପ୍ରଶ୍ନର ଉତ୍ତର ହେଉଛି ‘ହଁ’, ପରାଜୟ ସତ୍ତ୍ୱେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇପାରିବେ ।

ସମ୍ବିଧାନର ଧାରା ୧୬୪ (୪) ଅନୁସାରେ ପରାଜିତ ନେତା ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିବେ । କିନ୍ତୁ ତାଙ୍କୁ ୬ ମାସ ମଧ୍ୟରେ ଉପନିର୍ବାଚନ ମାଧ୍ୟମରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିବ । ଏହି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯଦି ସେ ଗୃହକୁ ନିର୍ବାଚିତ ହେବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ଇସ୍ତଫା ଦେବାକୁ ପଡିବ । ଏହି ସାମ୍ବାଧାନିକ ବିଧି ଅନୁସାରେ ମମତା ମୁଖ୍ୟମନ୍ତ୍ରୀ ହୋଇପାରିବେ । କିନ୍ତୁ ତାଙ୍କୁ ୬ ମାସ ମଧ୍ୟରେ କୌଣସି ଉପନିର୍ବାଚନ ମାଧ୍ୟମରେ ଗୃହକୁ ନିର୍ବାଚିତ ହେବାକୁ ପଡିବ ।
ନିର୍ବାଚନ ହାରିବା ଏବଂ ନ ଲଢ଼ିବା ସତ୍ତ୍ୱେ ବହୁ ନେତା ମୁଖ୍ୟମନ୍ତ୍ରୀ ହେବା ନଜିର ଅଛି । ୨୦୧୧ରେ ପଶ୍ଚିମବଙ୍ଗରେ ପ୍ରଥମ ଥର ମମତାଙ୍କ ଦଳ ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିଥିଲା । ସେତେବେଳେ ମମତା ସାଂସଦ ଥିଲେ । ତଥାପି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ସେହିବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ଉପନିର୍ବାଚନରେ ମମତା ଭବାନୀପୁର ଆସନରୁ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଜଣେ ବିଧାନ ପରିଷଦ ସଦସ୍ୟ ମଧ୍ୟ ନିର୍ବାଚନ ନ ଲଢ଼ି ମୁଖ୍ୟମନ୍ତ୍ରୀ ହୋଇପାରିବେ । ୨୦୧୭ରେ ୟୁପି ବିଧାନ ପରିଷଦ ସଦସ୍ୟ ଯୋଗୀ ଆଦିତ୍ୟନାଥ ନିର୍ବାଚନ ନ ଲଢ଼ି ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପଶ୍ଚିମବଙ୍ଗରେ ବିଧାନ ପରିଷଦ ବ୍ୟବସ୍ଥା ନଥିବାରୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ମମତାଙ୍କୁ ଉପନିର୍ବାଚନରେ ଜିତି ବିଧାନସଭାକୁ ନିର୍ବାଚିତ ହେବାକୁ ପଡିବ ।

Comments are closed.