ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା

ଝାରସୁଗୁଡ଼ା: କେନ୍ଦ୍ର ସରକାର ନୂତନ କୃଷି ଆଇନକୁ ପ୍ରତ୍ୟାହାର ନକଲେ ଆତ୍ମହୁତି ଦେବାକୁ ଚାଷୀ ସଂଗଠନ ମାନେ ଚେତାବନୀ ଦେଇଛନ୍ତି । ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଆଜି ଜିଲ୍ଲା କୃଷକ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହାସହ ସଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହିଅବସରରେ କୃଷକଙ୍କ ପକ୍ଷରୁ କୁହାଯାଇଛି ଯେ , କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷିଆଇନ କୃଷକ ବିରଧୀ ଅଟେ । ଏହି ନୂତନ କୃଷି ଆଇନ କୃଷକମାନଙ୍କର ସ୍ଵାର୍ଥର ବିରୁଦ୍ଧାଚରଣ କରୁଛି । ଏହା କୃଷି ବ୍ୟବସ୍ଥାକୁ ଧ୍ୱସଂ କରି କୃଷିର କମ୍ପାନୀ କରଣ ପାଇଁ ସହାୟକ ହେଉଛି । ଏହି କୃଷି ଆଇନ ଅନୁସାରେ ଆବଶ୍ୟକ ସାମଗ୍ରୀ ଆଇନ ୧୯୫୫କୁ ସଂଶୋଧନ କରାଯାଇ ଚାଉଳ , ଗହମ , ସମସ୍ତ ପ୍ରକାର ଡାଲି , ତୈଳବୀଜ , ଆଳୁ , ପିଆଜ ସହ ୬୦ ପ୍ରକାର ଅତି ଆବଶ୍ୟକ ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦିଆଯାଉଛି । ଫଳରେ ଏହି ସାମଗ୍ରୀଗୁଡିକୁ ମୁନାଫାଖୋର ବ୍ୟବସାୟୀ କଳାବଜାରୀ କରିବାରୁ ଦରଦାମ ବୃଦ୍ଧି ହେଉଛି । ସେହିପରି ଏଗ୍ରିକଲଚର ପ୍ରଡିଉସ ମାର୍କେଟ କମିଟି ( ଏପିଏମସି ) କୁ ଭାଙ୍ଗିଦେଇ କର୍ପୋରେଟମାନଙ୍କୁ କୃଷି ବଜାରରେ ଅନୁମତି ପ୍ରଦାନ କରାଯାଇଛି | ଯାହା ଫଳରେ କୃଷକମାନେ ବହୁ ମାତ୍ରାରେ କ୍ଷତି ସହିବାକୁ ବାଧ୍ୟ ହେବେ । ସେହିପରି ଏହି ବିଲ୍ ଆଇନରେ ପରିଣତ ହେଲେ କର୍ପୋରେଟ ସଂସ୍ଥା କୃଷି କ୍ଷେତ୍ରରେ ଅବାଧ ପ୍ରବେଶ ମିଳିବ । ଯାହା ଫଳରେ ଦେଶରେ ୮୦ ପ୍ରତିଶତ କୃଷକ ଓ ରାଜ୍ୟରେ ୮୮ ପ୍ରତିଶତ ଚାଷୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହେବେ । ତେଣୁ ସରକାର ଏହି କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ଜିଲ୍ଲାର କୃଷକମାନେ ଦାବି କରିଛନ୍ତି । ଯଦି ସରକାର ସେମାନଙ୍କ ଦାବିକୁ ପୂରଣ କରି କୃଷି ଆଇନ ପ୍ରତ୍ୟାହାର ନକରିବେ ତେବେ ଚାଷୀମାନେ ଆନ୍ଦୋଳନ ପରେ ଆତ୍ମହୁତି ଦେବା ପାଇଁ ବାଧ୍ୟ ହେବେ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ସେମାନଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ , ଚାଷୀଙ୍କ ସୁବିଧା ପାଇଁ ସରକାର ସ୍ଵାମୀନାଥନ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ , କୃଷି ଦ୍ରବ୍ୟର ସହାୟମ ମୂଲ୍ୟରୁ ଚାଷୀଙ୍କୁ କମ ଟଙ୍କା ପ୍ରଦାନ କରୁଥିବା ବ୍ୟକ୍ତି ତଥା କମ୍ପାନୀ ବିରୋଧେର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାସହ ଏମଏସପିକୁ ଆଇନରେ ପରିଣତ କରନ୍ତୁ ।

ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫କୁ ପୁନଃ ପ୍ରଚଳନ , ଧାନ କ୍ରୟ ସମୟରେ କଟନୀ ଛଟନୀ ବନ୍ଦ କରିବା ଓ ଚାଷୀର ସମସ୍ତ ଧାନକୁ କିଣିବାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଜିଲ୍ଲା କୃଷକ ସଙ୍ଗଠନର ଏହି ଧାରଣାକୁ ଜିଲ୍ଲା କଂଗ୍ରେସ , କମ୍ୟୁନିଷ୍ଟ ଦଳ , ପ୍ରଗତିଶୀଳ ଶ୍ରମିକ ମଂଚ , ଆମ ଆଦମି ପାଟୀ , ଲୋକମୁକ୍ତି ସଙ୍ଗଠନ ପକ୍ଷରୁ ସମର୍ଥନ କରାଯାଇଛି । ଏହି ଅବସରରେ ଚାଷୀ ନେତା ବିରଂଚି ସାହୁ , ଗୋପିନାଥ ମାଝା , ସୁରେନ୍ଦ୍ର ସାହୁ , ଭରତ ଅବସ୍ତା , ସାରଙ୍ଗଧର ମିଶ୍ର , ଦୁଷ୍ୟନ୍ତ ଲୋକଚନ୍ଦାନୀ , ପ୍ରଭାକର ଓରାମ , ଅନନ୍ତ ପଣ୍ଡା , ରକ୍ଷାକର ଅନୁପମ , ମନୀଷ ବାଜପେୟୀ , ଲକ୍ଷ୍ମୀ ଚରଣ ପାଲ , ଗୌରୀଶଙ୍କର ତନ୍ତୀ ପ୍ରମୁଖଙ୍କ ସହ ଜିଲ୍ଲାର ଶହଶହ ଚାଷୀ ଉପସ୍ଥିତ ଥିଲେ ।

Comments are closed.