ପଞ୍ଜାବ ପୌର ନିର୍ବାଚନରେ ବିଜେପିକୁ ଝଟ୍‌କା, କଂଗ୍ରେସର ବାଜିମାତ୍‌

ନୂଆଦିଲ୍ଲୀ – ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ପଞ୍ଜାବରେ ହୋଇଥିବା ପୌର ନିର୍ବାଚନରେ ବିଜେପିକୁ ବଡ଼ ଝଟ୍‌କା ଲାଗିଛି । ପ୍ରାୟ ସବୁ ପୌର ପରିଷଦ ଓ ନିଗମରେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛି ବିଜେପି । ଅନ୍ୟପକ୍ଷେ ପୌର ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି । ଦଳ ସାତ ନିଗର ନିଗମରୁ ୬ଟି ଜିତିଛି ।

କଂଗ୍ରେସ ଭଟିଣ୍ଡା, ହୋସିଆରପୁର, କାପୁରତାଲା, ଆବୋହର, ବାଟ୍‌ଲା ଓ ପଠାନକୋଟ ନିଗମରେ ଏକତରଫା ବିଜୟ ହାସଲ କରିଛି । ମୋଗା ଆସନରେ ବି ଦଳ ବିଜୟର ନକଟତର ହୋଇଛି । ଗୁରୁବାର ଆଉ ଏକ ନଗର ନିଗମର ଫଳାଫଳ ଆସିବାକୁ ଅଛି ।

ମୋଟ ୧୦୯ ପୌର ପରିଷଦ ମଧ୍ୟରୁ କଂଗ୍ରେସ ୬୩ଟି ଜିତିଥିବା ବେଳେ ଶିରୋମଣି ଅକାଳି ଦଳ ଦ୍ୱିତୀୟ ସ୍ଥାନରେ ରହିଛି । କଂଗ୍ରେସ ୨୧୬୫ ମ୍ୟୁନିସିପାଲିଟି ୱାର୍ଡରୁ ୧୩୯୯ରେ ବିଜୟୀ ହୋଇଛି । ଶିରୋମଣି ଅକାଳି ଦଳ ଏଯାବତ୍ କେବଳ ୮ଟିରେ ବିଜୟ ହାସଲ କରିଛି । ବିଜେପି ବହୁ ପଛରେ ପଡିଯାଇଛି ।

କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ମଧ୍ୟରେ ପଞ୍ଜାବ ପୌର ନିର୍ବାଚନ ଫଳାଫଳ ବେଶ୍ ଗୁରୁତ୍ୱ ବହନ କରୁଛି । କାରଣ ଚାଷୀ ଆନ୍ଦୋଳନରେ ଏହି ରାଜ୍ୟର ଅଧିକାଂଶ କୃଷକ ସାମିଲ ହୋଇଛନ୍ତି । ପୌର ନିର୍ବାଚନ ଫଳାଫଳ ବିଜେପିର ଚାଷୀ ବିରୋଧ ନୀତି ବିରୋଧରେ ଜନାଦେଶ ବୋଲି ମଧ୍ୟ କୁହାଯାଉଛି । କୃଷି ଆଇନକୁ ବିରୋଧ କରି ବିଜେପିର ହାତ ଛାଡ଼ିଥିବା ଓ ସରକାରରୁ ଓହରିଥିଲେ ବି ଶିରୋମଣି ଅକାଳି ଦଳକୁ ବିଶେଷ ଫାଇଦା ହୋଇନି ।

ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପୌର ନିର୍ବାଚନ ଫଳାଫଳ ବିଜେପି ଓ ଏହାର ପୂର୍ବତନ ସହଯୋଗୀ ଦଳ ଶିରୋମଣି ଅକାଳି ଦଳ ପାଇଁ ଆଦୌ ଶୁଭଙ୍କର ନୁହେଁ ।

ପୌର ନିର୍ବାଚନରେ କଂଗ୍ରେସର ବିଜୟ ନେଇ ପଞ୍ଜାବ ମନ୍ତ୍ରୀ ବ୍ରହ୍ମ ମହିନ୍ଦ୍ରା କହିଛନ୍ତି ଯେ, ବିଜେପି ସମେତ ରାଜ୍ୟର ଲୋକ ଆପ୍ ଏବଂ ଶିରୋମଣି ଅକାଳି ଦଳକୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି । ଆଗାମୀ ନିର୍ବାଚନରେ ବି ଏହି ତିନି ଦଳ ସମାନ ଦଶା ଭୋଗିବେ । କେନ୍ଦ୍ରରେ ଶାସନ କରୁଥିବା ବିଜେପି କୃଷି ଆଇନ ନେଇ ଚାଷୀମାନଙ୍କ ଚିନ୍ତା ଦୂର ନ କରିବା ଦୁର୍ଭାଗ୍ୟର ବିଷୟ ସେ କହିଛନ୍ତି ।

Comments are closed.