ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ

କୋଲକାତା/ଗୁଆହାଟି – ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଉଭୟ ରାଜ୍ୟରେ ସକାଳ ୭ଟା ଠାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୩୦ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ଏହି ପର୍ଯ୍ୟାୟରେ ୭୩ ଲକ୍ଷ ଭୋଟର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୩୦ ଆସନ ଭିତରୁ ଅଧିକାଂଶ ନକ୍ସଲ ପ୍ରଭାବିତ ଜଙ୍ଗଲ ମହଲ ଅଞ୍ଚଳରେ ରହିଛି ।

ଅନ୍ୟପକ୍ଷେ ଆସାମ ବିଧାନସଭା ପାଇଁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୪୭ ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସମେତ ଅନେକ ମନ୍ତ୍ରୀ ଓ ବିରୋଧୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ପଶ୍ଚିମବଙ୍ଗ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ୭୦୬୧ ସ୍ଥାନରେ ୧୦,୨୮୮ ମତଦାନ କେନ୍ଦ୍ର ଖୋଲାଯାଇଛି । ସୁରକ୍ଷା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ପ୍ରାୟ ୭୩୦ ଫୋର୍ସ ମୁତୟନ କରାଯାଇଛି ।

ଅନ୍ୟପକ୍ଷେ ଆସାମରେ ପ୍ରଥମ ପର୍ଯ୍ୟାୟରେ ୮୧,୦୯,୮୧୫ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ଏଥିମଧ୍ୟରେ ୪୦,୭୭,୨୧୦ ପୁରୁଷ ଓ ୪୦,୩୨,୪୮୧ ମହିଳା ଭୋଟର ରହିଥିବା ବେଳେ ୧୨୪ ତୃତୀୟ ଲିଙ୍ଗୀ ମତଦାତା ବି ଅଛନ୍ତି ।

Comments are closed.