ପୁଣି ଚର୍ଚ୍ଚାରେ ଆସାମ ନିର୍ବାଚନ: ଭୋଟର ୯୦, ଭୋଟ୍ ପଡିିଛି ୧୭୧

ହାଫଲୋଙ୍ଗ (ଆସାମ) – ଆସାମର ଦିମା ହାସାଓ ଜିଲ୍ଲା ଅନ୍ତର୍ଗତ ଏକ ମତଦାନ କେନ୍ଦ୍ରରେ ଭୋଟରଙ୍କ ତୁଳନାରେ ଅଧିକ ଭୋଟ୍ ପଡିବା ଚର୍ଚ୍ଚାର ବିଷୟ ହୋଇଛି । ଏପ୍ରିଲ୧ରେ ରାଜ୍ୟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦିମା ହାସାଓ ଜିଲ୍ଲାର ହାଫଲୋଙ୍ଗ ଆସନରେ ବି ଭୋଟ୍ ଗ୍ରହଣ ହୋଇଥିଲା । ତେବେ ଏଠାରେ ଏକ ମତଦାନ କେନ୍ଦ୍ରରେ ଭୋଟରଙ୍କ ସଂଖ୍ୟା ଠାରୁ ଅଧିକ ଭୋଟ୍ ପଡିଥିଲା । ଏଠାରେ ଭୋଟରଙ୍କ ସଂଖ୍ୟା ୯୦ ଥିଲାବେଳେ ମୋଟ ୧୭୧ ଭୋଟ୍ ପଡିଥିଲା । ଏହି ଅନିୟମିତତା ସାମ୍ନାକୁ ଆସିବା ପରେ ସ୍ଥାନୀୟ ନିର୍ବାଚନ ଅଧିକାରୀ ଉକ୍ତ ମତଦାନ କେନ୍ଦ୍ର ଦାୟିତ୍ୱରେ ଥିବା ପାଞ୍ଚ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ତେବେ ସେହି ବୁଥରେ ସାନି ମତଦାନ ପାଇଁ ଏ ଯାଏଁ ନିର୍ଦ୍ଦେଶ ଜାରି କରାଯାଇ ନାହିଁ ।

ଏହି ଘଟଣା ହାଫଲୋଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୋତଲିର ଗ୍ରାମରେ ଘଟିଛି । ଏହି ଗ୍ରାମର ଏକ ମତଦାନ କେନ୍ଦ୍ରର ଭୋଟର ତାଲିକାରେ ୯୦ ଜଣଙ୍କ ନାମ ଥିଲା । ତେବେ ଇଭିଏମ୍‌ରେ ୧୭୧ ଭୋଟ୍ ପଡିଥିଲା । ଉକ୍ତ ଗ୍ରାମର ମୁଖିଆ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜାରି ଭୋଟର ତାଲିକା ଗ୍ରହଣ ନ କରି ନିଜ ଦ୍ୱାରା ପ୍ରସ୍ତୁତ ଏକ ଭୋଟର ତାଲିକା ଆଣିଥିଲେ । ଗାଁ ମୁଖିଆଙ୍କ ଭୋଟର ତାଲିକା ଅନୁସାରେ ଲୋକେ ସେଠାରେ ଭୋଟ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ମାନେ କାହିଁକି ଗାଁ ମୁଖିଆଙ୍କ ଭୋଟର ତାଲିକାକୁ ଗ୍ରହଣ କଲେ ତାହା ଜଣାପଡି ନାହିଁ । ସେହି ମତଦାନ କେନ୍ଦ୍ରରେ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ ନା ନାହିଁ ତାହା ବି ଜଣାପଡି ନାହିଁ ।

ନିକଟରେ ଆସାମା ରତାବାରୀ ନିର୍ବାଚନ ମଣ୍ଡଳୀରେ ଜଣେ ବିଜେପି ପ୍ରାର୍ଥୀଙ୍କ ଗାଡ଼ିରୁ ଇଭିଏମ୍ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ନିର୍ବାଚନ କମିଶନ ସେଠାରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.