ପ୍ରଖ୍ୟାତ ଅନ୍ତରୀକ୍ଷ ବୈଜ୍ଞାନିକ ରୋଡମ ନରସିଂହାଙ୍କ ଦେହାନ୍ତ

ବେଙ୍ଗାଲୁରୁ – ପ୍ରଖ୍ୟାତ ଅନ୍ତରୀକ୍ଷ ବୈଜ୍ଞାନିକ ରୋଡମ ନିରସିଂହାଙ୍କ ସୋମବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ସେ କିଛିଦିନ ଧରି ଅସୁସ୍ଥ ଥିଲେ । ନରସିଂହା ଜାତୀୟ ଏରୋସ୍ପେଶ୍ ଲାବୋରେଟୋରିଜ୍ (ଏନ୍‌ଏଏଲ୍‌)ର ପୂର୍ବତନ ନିର୍ଦ୍ଦେଶକ ଥିଲେ ।

ଯୁଦ୍ଧ ବିମାନ ‘ତେଜସ୍‌’ର ଡିଜାଇନ୍ ଓ ନିର୍ମାଣରେ ନରସିଂହାଙ୍କ ପ୍ରମୁଖ ଭୂମିକା ଥିଲା । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ନରସିଂହାଙ୍କୁ ୨୦୧୩ରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । ଏଡାଛଡ଼ା ବିଜ୍ଞାନ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ସମ୍ମାନଜନକ ଭଟ୍ଟନାଗର ପୁରସ୍କାର ଓ ଟ୍ରିଏଷ୍ଟ ସାଇନ୍ସ ପୁରସ୍କାର ମିଳିଥିଲା ।

ନରସିଂହାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି । ନରସିଂହା ଜଣେ ମହାନ ବୈଜ୍ଞାନିକ ଥିଲେ । ଭାରତର ବିକାଶ ପାଇଁ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ତାଙ୍କ ଅବଦାନ ଥିଲା ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି ଟ୍ୱିଟ କରି କହିଛନ୍ତି ।

Comments are closed.