ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ପାକିସ୍ତାନ

କରାଚି – ସ୍ପିନ୍ ଯୋଡି ୟାସିର ଶାହା ଓ ନୌମାନ ଅଲ୍ଲୀଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ପାକିସ୍ତାନ ୭ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକା ନିଜ ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର ୧୮୭/୪ରୁ ଖେଳ ଆରମ୍ଭ କରି ଆଜି ଚତୁର୍ଥ ଦିବସରେ ୨୪୫ ରନରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଫଳରେ ପାକିସ୍ତାନ ପାଇଁ କେବଳ ୮୮ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହି ସାଧାରଣ ବିଜୟଲକ୍ଷ୍ୟକୁ ପାକିସ୍ତାନ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା । ଆଝାର ଅଲ୍ଲୀ ୩୧ ରନ୍ କରି ଅପରାଜିତ ରହିଥିବା ବେଳେ ଫୱାଦ ଆଲାମ ୪ ରନରେ ନଟ୍ ଆଉଟ୍ ରହିଥିଲେ । ଦ୍ୱିତୀୟ ଇନିଂସରେ ପାକିସ୍ତାନର ଦୁଇ ସ୍ପିନର ୟାସିର ଓ ନବାଗତ ନୌମାନ ଚମକିଥିଲେ । ନୌମାନ ୩୫ ରନ୍‌ରେ ୫ଟି ୱିକେଟ୍ ନେଇଥିବା ବେଳେ ୟାସିର ୭୯ ରନ୍ ଦେଇ ୪ଟି ୱିକେଟ୍ ହାସଲ କରିଥିଲେ । ଏହି ଚମତ୍କାର ବିଜୟ ସହ ପାକିସ୍ତାନ ଦୁଇ ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଉଲ୍ଲେଖଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୦ ରନ୍ କରି ଆଉଟ୍ ହୋଇଥିଲା । ଏହାର ଜବାବରେ ପାକିସ୍ତାନ ୩୭୮ ରନ୍ କରିଥିଲା । ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଫେବୃୟାରୀ ୪ରୁ ୮ ଯାଏଁ ରାୱଲପିଣ୍ଡିରେ ଖେଳାଯିବ ।

Comments are closed.