ପ୍ରଥମ ଟେଷ୍ଟ: ୧୦୦ତମ ଟେଷ୍ଟରେ ରୁଟ୍ ଙ୍କ ଶତକ, ପ୍ରଥମ ଦିନରେ ଇଂଲଣ୍ଡର ପ୍ରାଧାନ୍ୟ

ଚେନ୍ନାଇ – ଅଧିନାୟକ ଜୋ ରୁଟ୍ ନିଜ ୧୦୦ତମ ଟେଷ୍ଟରେ ଶତକ ହାସଲ ସହ ଇଂଲଣ୍ଡକୁ ଏକ ବିଶାଳ ସ୍କୋର ଆଡକୁ ଆଗେଇ ନେଇଛନ୍ତି । ନିଜର ଏହି ମାଇଲଖୁଣ୍ଟ ଟେଷ୍ଟକୁ ରୁଟ୍ ଶତକୀୟ ପାଳି ସହ ଆହୁରି ସ୍ୱତନ୍ତ୍ର କରିଥିବା ବେଳେ ଭାରତ ଉପରେ ପ୍ରାଧାନ୍ୟ ଜାହିର ପୂର୍ବକ ଇଂଲଣ୍ଡ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୨୬୩ ରନ୍ କରିଛି । ଆଧୁନିକ ଯୁଗର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ରୁଟ୍ ୧୨୮ ରନ୍ କରି ଅପରାଜିତ ଅଛନ୍ତି । ଏହା ତାଙ୍କ କ୍ୟାରିୟରର ୨୦ତମ ତଥା ହ୍ୟାଟ୍ରିକ୍ ଶତକ ।

ଭାରତ ବିପକ୍ଷ ଏହି ଟେଷ୍ଟ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଦୁଇ ଟେଷ୍ଟରେ ବି ରୁଟ୍ ଶତକ ହାସଲ କରିଥିଲେ । ନିଜ ୧୦୦ତମ ଟେଷ୍ଟରେ ଶତକ ହାସଲ କରିବାରେ ରୁଟ୍ ହେଉଛନ୍ତି ବିଶ୍ୱର ନବମ ଖେଳାଳି । ଓପନର ଡୋମିନିକ ସିବଲେ (୮୭)ଙ୍କ ସହ ମିଶି ରୁଟ୍ ତୃତୀୟ ୱିକେଟରେ ୨୦୦ ରନ୍ ଭାଗିଦାରୀ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ । ଶେଷରେ ସିବେଲଙ୍କୁ ଆଉଟ୍ କରି ବୁମରା ଏହି ଯୋଡି ଭାଙ୍ଗିଥିଲେ । ଭାରତ ପକ୍ଷରୁ ବୁମରା ୨ଟି ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ୱିକେଟ୍ ନେଇଥିଲେ ।

ଭାରତ-ଇଂଲଣ୍ଡ ଚାରି ମ୍ୟାଚ୍ ସିରିଜର ପ୍ରଥମ ଟେଷ୍ଟ ସହ ଦୀର୍ଘ ୧୦ ମାସ ଓ ୨୬ ଦିନ ପରେ ଆଜି ଭାରତକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିଛି । ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର ରୋରି ବର୍ନସ ଓ ଡମ ସିବଲେ ଦମଦାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ପ୍ରଥମ ଗୋଟିଏ ଘଣ୍ଟା କୌଣସି ସଫଳତା ହାସଲ କରିବାର ସୁଯୋଗ ଦେଇ ନଥିଲେ। ତେବେ ଅଭିଜ୍ଞ ରବି ଅଶ୍ୱିନ ଦଳୀୟ ସ୍କୋର ୬୩ ଥିବା ବେଳେ ବ୍ୟକ୍ତିଗତ ୩୩ ରନ୍ କରିଥିବା ରୋରି ବର୍ନସଙ୍କୁ ୱକେଟ କିପର ରିଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ କରି ଦେଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଡନ ଲୱରେନ୍ସ ଖାତା ଖୋଲିବା ପୂର୍ବରୁ ଯଶପ୍ରୀତ ବୁମ୍ରାଙ୍କ ଶିକାର ହୋଇଥିଲେ। ତେବେ ଜବରଦସ୍ତ ଫର୍ମରେ ଥିବା ରୁଟ୍ ଓ ସିବଲେ ତୃତୀୟ ୱିକେଟରେ ୨୦୦ ରନର ଭାଗିଦାରୀ ସହ ଦଳୀୟ ସ୍ଥିତି ମଜବୁତ କରିଥିଲେ । ରୁଟ୍ ନିଜ ଶତକୀୟ ଟେଷ୍ଟରେ ଶତକ ସହ ଏହି ମାଇଲଖୁଣ୍ଟ ମୁହୂର୍ତ୍ତକୁ ଆହୁରି ସ୍ୱତନ୍ତ୍ର କରିଥିଲେ । ଦିନର ଶେଷ ଓଭରରେ ସିବେଲଙ୍କୁ ଆଉଟ୍ କରି ବୁମରା ଶେଷରେ ଭାରତକୁ ପ୍ରତୀକ୍ଷିତ ସଫଳତା ଦେଇଥିଲେ ।

Comments are closed.