ଫ୍ରିଡମ୍ ରିପୋର୍ଟ ୨୦୨୧: ଭାରତରେ କମିଛି ଲୋକଙ୍କ ସ୍ୱାଧୀନତା

ନୂଆଦିଲ୍ଲୀ – ପୂର୍ବାପେକ୍ଷା ଭାରତରେ ଲୋକଙ୍କ ସ୍ୱାଧୀନତା ହ୍ରାସ ପାଇଛି । ଆମେରିକାର ଏକ ସଂସ୍ଥା ‘ଫ୍ରିଡମ୍ ହାଉସ୍‌’ ନିଜର ଏକ ରିପୋର୍ଟରେ ଏଭଳି କହିଛି । ଭାରତ ଏକ ‘ସ୍ୱାଧୀନ’ ଦେଶରୁ ‘ଆଂଶିକ ସ୍ୱାଧୀନ ଦେଶ’ରେ ପରିଣତ ହୋଇଛି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଏହି ସଂସ୍ଥା ତରଫରୁ ରାଜନୈତିକ ସ୍ୱାଧୀନତା ଓ ମାନବ ଅଧିକାର ନେଇ ଅନେକ ଦେଶରେ ଏକ ରିସର୍ଚ କରାଯାଇଥିଲା । ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ୨୦୧୪ରେ ଭାରତରେ ସରକାର ବଦଳିବା ପରେ ନାଗରିକ ମାନଙ୍କ ସ୍ୱାଧୀନତା ହ୍ରାସ ପାଇଛି ।

‘ଡେମୋକ୍ରେସି ଅଣ୍ଡର ସୀଜ୍‌’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଯେ, ନାଗରିକଙ୍କ ସ୍ୱାଧୀନତା ମାମଲାରେ ଭାରତର ସ୍ଥିତିରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଏକ ବୈଶ୍ୱିକ ଧାରା । ଏହି ରିପୋର୍ଟରେ ଭାରତକୁ ୧୦୦ ରୁ ୬୭ ନମ୍ବର ଦିଆଯାଇଛି । ଗତବର୍ଷ ଭାରତକୁ ୭୧ ନମ୍ବର ମିଳିଥିଲା । ଭାରତର ମାନ୍ୟତା ହ୍ରାସ ହେବା ପଛରେ ସରକାର ଓ ଏହାର ସହଯୋଗୀ ଦଳମାନଙ୍କ ତରଫରୁ ସମାଲୋଚକଙ୍କ ଉପରେ ଅଙ୍କୁଶ ଲଗାଯିବା ମୁଖ୍ୟ କାରଣ ବୋଲି କୁହାଯାଇଛି ।

ନାଗରିକଙ୍କ ସ୍ୱାଧୀନତା ରେଟିଂରେ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଦେଶ ଭାରତକୁ ଗତବର୍ଷ ୬୦ ରୁ ୩୭ ନମ୍ବର ମିଳିଥିଲା ବେଳେ ଚଳିତ ବର୍ଷ ୩୩ ନମ୍ବର ମିଳିଛି । ରାଜନୈତିକ ଅଧିକାର ମାମଲାରେ ଭାରତ ଲଗାତର ଦ୍ୱିତୀୟ ବର୍ଷ ପାଇଁ ୪୦ରୁ ୩୭ ନମ୍ବର ରଖିଛି ।

‘ଫ୍ରିଡମ୍ ହାଉସ୍‌’ ରିପୋର୍ଟରେ ଗତବର୍ଷ କରୋନା ମହାମାରୀ ଯୋଗୁଁ ଭାରତ ସରକାର ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରିବା ପରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ବି ଉଲ୍ଳେଖ କରାଯାଇଛି । ଏହି ପର୍ଯ୍ୟାୟ ଏହି ଶ୍ରମିକ ମାନଙ୍କ ପାଇଁ ସବୁଠୁ ବିପଜ୍ଜନକ ପର୍ଯ୍ୟାୟ ଥିଲା ବୋଲି କୁହାଯାଇଛି ।

Comments are closed.