ବକ୍ସିଂ ଡେ ଟେଷ୍ଟ: ରାହାଣେଙ୍କ ଅପରାଜିତ ଶତକ, ମଜଭୁତ ସ୍ଥିତିରେ ଭାରତ

ମେଲବୋର୍ଣ୍ଣ – କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ସହାୟତାରେ ଏଠାରେ ଚାଲିଥିବା ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟରେ ଭାରତ ପ୍ରଥମ ଇନିଂସ୍ ଅଗ୍ରଣୀ ହାସଲ କରି ମଜଭୁତ ସ୍ଥିତିରେ ରହିଛି । ରାହାଣେ ୧୦୪ ରନ୍ କରି ଅପରାଜିତ ରହିଥିବା ବେଳେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ସ୍କୋର ୧୯୫ ରନ୍ ଜବାବରେ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୨୭୭ ରନ୍ କରିଛି । ହାତରେ ଆଉ ୫ ୱିକେଟ୍ ସୁରକ୍ଷିତ ଥିବାବେଳେ ଭାରତ ଏଯାବତ୍ ୮୨ ରନ୍‌ରେ ଆଗୁଆ ରହିଛି । ରାହାଣେଙ୍କ ସହ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୪୦ ରନ୍ କରି ବ୍ୟାଟିଂ କରୁଛନ୍ତି । ରାହାଣେ-ଜାଡେଜାଙ୍କ ମଧ୍ୟରେ ଷଷ୍ଠ ୱିକେଟ୍ ଭାଗିଦାରୀରେ ଏଯାବତ୍ ୧୦୪ ରନ୍ ଯୋଗ କରି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି । ରାହାଣେ କ୍ୟାରିୟରର ୧୨ତମ ଟେଷ୍ଟ ଶତକ ହାସଲ କରିଛନ୍ତି ।

ପ୍ରଥମ ଦିବସରେ ନିଜ ବିଚକ୍ଷଣ ନେତୃତ୍ୱ ଦକ୍ଷତା ସହ ଅଷ୍ଟ୍ରେଲିଆକୁ ୧୯୫ ରନରେ ଅଟକାଇବା ପରେ ରାହାଣେ ଆଜି ବ୍ୟାଟିଂରେ ଚମକ ଦେଖାଇଥିଲେ । ଅବଶ୍ୟ ଏହି ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ଏକ ଜୀବନଦାନ ମିଳିଥିଲା । ରାହାଣେ ୭୩ ରନ୍ କରିଥିବା ସମୟରେ ମିଚେଲ ଷ୍ଟାର୍କଙ୍କ ବୋଲିଂରେ ତାଙ୍କର ଏକ କ୍ୟାଚକୁ ସ୍ଲିପରେ ସ୍ମିଥ୍ ଛାଡ଼ି ଦେଇଥିଲେ । ଏହା ପୂର୍ବରୁ ଭାରତ ତାର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୩୬/୧ରୁ ଖେଳ ଆରମ୍ଭ କରିଥିଲ । ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା ସତର୍କତାର ସହ ସ୍କୋରକୁ ଆଗେଇ ନେବାକୁ ଚେଷ୍ଟା କରିଥିଲେ । ତେବେ ଲଞ୍ଚ୍ ବିରତିର ଠିକ୍ ପୂର୍ବରୁ ଉଭୟ ଆଉଟ୍ ହୋଇଯାଇଥିଲେ । ଡେବୁଟାଣ୍ଟ୍ ଗିଲ୍ ୪୫ ରନ୍ କରି କମିନ୍ସଙ୍କ ଶିକାର ହୋଇଥିଲା ବେଳେ ପୂଜାରା ପୁଣି ଏକ ମନ୍ଥର ଇନିଂସ୍ ଖେଳି ୭୦ ବଲରେ ମାତ୍ର ୧୭ ରନର ସ୍କୋରରେ ପ୍ୟାଭିଲିୟନ ଫେରିଥିଲେ । ପୂଜାରାଙ୍କୁ ବି କମିନ୍ସ ନିଜ ଶିକାର ବନାଇଥିଲେ । ଲଞ୍ଚ୍ ବିରତି ବେଳକୁ ଭାରତ ୯୦ ରନରେ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ପ୍ରଥମ ସେସନରେ ଭାରତ ମାତ୍ର ୫୯ ରନ୍ କରିଥିଲା ଏବଂ ଦୁଇଟି ୱିକେଟ୍ ହରାଇଥିଲା । ପୂଜାରା ଓ ଗିଲଙ୍କ ୱିକେଟ ପରେ ହନୁମା ବିହାରୀ ଓ ରାହାଣେ ପାଳି ସମ୍ଭାଳିଥିଲେ । ଦୁହେଁ ଧୈର୍ଯ୍ୟ ସହକାରେ ଅଷ୍ଟ୍ରେଲୀୟ ପେସରଙ୍କ ମୁକାବିଲା କରି ସ୍କୋରକୁ ଆଗେଇ ନେଇଥିଲେ । ଉଭୟ ଚତୁର୍ଥ ୱିକେଟ୍ ଭାଗିଦାରୀରେ ୫୨ ରନ୍ ଯୋଗ କରିଥିଲେ । ବିହାରୀଙ୍କୁ ଆଉଟ୍ କରି ନାଥନ୍ ଲାୟନ ଏହି ଯୋଡ଼ି ଭାଙ୍ଗିଥିଲେ । ବିହାରୀ ଭଲ ଷ୍ଟାର୍ଟକୁ ବଡ଼ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ । ସେ ୨୧ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ କ୍ରିଜକୁ ଓହ୍ଲାଇଥିବା ରିଷଭ ପନ୍ତ ସକାରାତ୍ମକ ଆଭିମୁଖ୍ୟ ସହ ଆରମ୍ଭରୁ କେତୋଟି ଚିତ୍ତାକର୍ଷକ ଚୌକା ମାରିଥିଲେ । ଅନ୍ୟପଟେ ରାହାଣେ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । ରାହାଣେ-ପନ୍ତ ପଞ୍ଚମ ୱିକେଟ୍ ପାଇଁ ୫୭ ରନ୍ ଯୋଗ କରିଥିଲେ । ପନ୍ତଙ୍କୁ ଆଉଟ୍ କରି ଷ୍ଟାର୍କ ଅଷ୍ଟ୍ରେଲିଆକୁ ପଞ୍ଚମ ସଫଳତା ଦେଇଥିଲେ । ପନ୍ତ ଆଉଟ୍ ହେଲା ବେଳକୁ ଭାରତର ସ୍କୋର ଥିଲଶ ୧୭୩/୫ । ତେବେ ଜାଡେଜାଙ୍କ ଉପଯୁକ୍ତ ସହାୟତାରେ ରାହାଣେ ଶତକୀୟ ପାଳି ସହ ଦଳୀୟ ସ୍ଥିତି ସମ୍ଭାଳି ନେଇଛନ୍ତି । ଉଭୟ ରାହାଣେ ଓ ଜାଡେଜା ତୃତୀୟ ଦିବସରେ ଯେତେଦୂର ସମ୍ଭବ କ୍ରିଜ୍ ଅକ୍ତିଆର କରି ଅଗ୍ରଣୀକୁ ବଢାଇବା ଲକ୍ଷ୍ୟରେ ରହିବେ । ଭାରତର ପ୍ରଥମ ଟାର୍ଗେଟ୍ ହେବ ୧୦୦ରୁ ଊର୍ଦ୍ଧ୍ୱ ଅଗ୍ରଣୀ ।

Comments are closed.