ବଳାତ୍କାରୀକୁ ବିବାହ ପ୍ରସ୍ତାବ ବିବାଦରେ ପ୍ରଧାନ ବିଚାରପତିଙ୍କ ସ୍ପଷ୍ଟୀକରଣ, କହିଲେ ମହିଳାଙ୍କ ପ୍ରତି ସର୍ବୋଚ୍ଚ ସମ୍ମାନ ରହିଛି

ନୂଆଦିଲ୍ଲୀ – କିଛି ଦିନ ତଳେ ଏକ ବଳାତ୍କାର ମାମଲାରେ ପୀଡିତାକୁ ବିବାହା କରିବା ପାଇଁ ଅଭିଯୁକ୍ତକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ନେଇ ବିବାଦ ପରେ ସୋମବାର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେ୍ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । ଏକ ସଂସ୍ଥା ଭାବେ ମହିଳା ମାନଙ୍କ ପ୍ରତି ସୁପ୍ରିମକୋର୍ଟର ସର୍ବୋଚ୍ଚ ସମ୍ମାନ ରହିଆସିଛି । ସେ କହିଛନ୍ତି ଯେ, ଅଭିଯୁକ୍ତକୁ ବିବାହ ପ୍ରସ୍ତାବ ଦେବା ନେଇ ତାଙ୍କ ଟିପ୍ପଣୀକୁ ଗଣମାଧ୍ୟମ ଓ କିଛି ସମାଜସେବୀ ଅତିରଞ୍ଜିତ ଭାବେ ଉପସ୍ଥାପନ କରି କୋର୍ଟର ଛବି ଖରାପ କରିବାକୁ ଉଦ୍ୟମ କରିଛନ୍ତି । ଜଣେ ୧୪ ବର୍ଷୀୟା ବଳାତ୍କାର ପୀଡିତାର ଗର୍ଭପାତ ଆବେଦନ ଉପରେ ଆଜି ଶୁଣାଣି ବେଳେ ପ୍ରଧାନ ବିଚାରପତି ଏହା କହିଛନ୍ତି ।

ପ୍ରଧାନ ବିଚାରପତି କହିଛନ୍ତି ଯେ, ଉକ୍ତ ମାମଲାରେ ଆବେଦନକାରୀ ଅଭିଯୁକ୍ତକୁ ସେ ପୀଡିତା ତଥା ଅଭିଯୋଗକାରିଣୀଙ୍କୁ ବିବାହ କରିବେ କି ବୋଲି ପଚାରିଥିଲେ । ପୀଡିତାକୁ ବିବାହ କରିବାକୁ ତାଙ୍କୁ ସେ କହିନଥିଲେ । ଜଷ୍ଟିସ୍ ବୋବଡେଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣିର ରିପୋର୍ଟିଂ ସମ୍ପୂର୍ଣ୍ଣ ଭୁଲ୍ ଭାବେ କରାଯାଇଥିଲା । ପୀଡିତାକୁ ବିବାହ କରିବା ପାଇଁ ଅଭିଯୁକ୍ତଙ୍କୁ ଖଣ୍ଡପୀଠ କହିନଥିଲେ । ଶୁଣାଣି ବେଳେ ସୋଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ କହିଥିଲେ ଯେ, ଅଦାଲତଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଥିଲା ।

ମାର୍ଚ୍ଚ ୧ରେ ମହାରାଷ୍ଟ୍ରର ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ହୋଇଥିବା ବଳାତ୍କାର ମାମଲାରେ ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେ୍ ପୀଡିତା ସହ ବିବାହ କରିବାକୁ ଅଭିଯୁକ୍ତକୁ ପ୍ରସ୍ତାବ ଦେଇଥିଲେ । ଅଭିଯୁକ୍ତ ଜଣକ ଅଗ୍ରୀମ ଜାମିନ ଆବେଦନ ବମ୍ବେ ହାଇକୋର୍ଟରେ ଖାରଜ ହେବା ପରେ ସେ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା । ଅଭିଯୁକ୍ତକୁ ପ୍ରଧାନ ବିଚାରପତିଙ୍କ ବିବାହ ପ୍ରସ୍ତାବ ନେଇ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କିଛି ସମଜସେବୀ ମଧ୍ୟ ପ୍ରଧାନ ବିଚାରପତିଙ୍କୁ ଏନେଇ ସମାଲୋଚନା କରିଥିଲେ ।

Comments are closed.