ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାରେ ୨ କୃଷି ବିଲ୍ ଗୃହୀତ, ବିଜେଡିର ବିରୋଧ, ସିଲେକ୍ଟ କମିଟିକୁ ପଠାଇବା ଦାବି

ନୂଆଦିଲ୍ଲୀ – ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ କୃଷି ସଂସ୍କାର ସଂପର୍କିତ ଦୁଇଟି ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଛି । ବିଲ୍ ଉପରେ ଆଜି ଗୃହରେ ସରଗରମ ଆଲୋଚନା ହୋଇଥିଲା । କୃଷି ଅମଳ ବ୍ୟାପାର ଓ ବାଣିଜ୍ୟ ( ସଂବର୍ଧନ ଓ ସରଳୀକରଣ ) ବିଲ୍ ୨୦୨୦ ଓ କୃଷକ(ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ବିଲ୍ ରାଜ୍ୟସଭାରେ ବାଚନିକ ଭୋଟରେ ଗୃହୀତ ହୋଇଛି ।

କଂଗ୍ରେସ ,ଟିଏମସି ସମେତ ଅନ୍ୟ କିଛି ବିରୋଧୀ ଦଳ ବିଲକୁ ଜୋରଦାର ବିରୋଧ କରିଥିଲେ । ବିଲ୍ କୃଷକ ବିରୋଧୀ ବୋଲି ଏହି ଦଳଗୁଡିକ କହଥିିଲେ । ସେମାନେ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଥିଲେ । ବିଜେଡି ମଧ୍ୟ କୃଷି ସଂପର୍କିତ ବିଲ୍‌କୁ ବିରୋଧ କରିବା ସହ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଥିଲା । ବିଲ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ କିଛି ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ବିଜେଡି କହିବା ସହ ଏହାକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା । ହେଲେ ଏହି ଦାବି ଅଗ୍ରାହ୍ୟ କରିଦେଇଛନ୍ତି କେନ୍ଦ୍ର ସରକାର । ଏହି ବିଲ୍ କୃଷକମାନଙ୍କ ପାଇଁ ବୈପ୍ଲବିକ ସାବ୍ୟସ୍ତ ହେବ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିବା ସହ ଏମଏସପି ବଜାୟ ରହିବ ବୋଲି କହିଥିଲେ ।

Comments are closed.