ବ୍ରିସବେନ୍ ଟେଷ୍ଟ: ସିରାଜଙ୍କୁ ପାଞ୍ଚ ୱିକେଟ, ଭାରତ ଆଗରେ ୩୨୮ ରନର ବିଜୟଲକ୍ଷ୍ୟ

ବ୍ରିସବେନ୍‌: ସିରିଜ୍ ନିର୍ଣ୍ଣାୟକ ଚତୁର୍ଥ ଟେଷ୍ଟରେ ଭାରତ ଆଗରେ ୩୨୮ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହାର ଜବାବରେ ଚତୁର୍ଥ ଦିନର ଖେଳ ଶେଷ ହେବା ବେଳକୁ ଭାରତ ବିନା କ୍ଷତିରେ ୪ ରନ୍ କରିଛି । ବର୍ଷା ଯୋଗୁଁ ଚତୁର୍ଥ ଦିବସର ଖେଳ ଆଗୁଆ ବନ୍ଦ ହୋଇଥିଲା । ଭାରତକୁ ବିଜୟ ପାଇଁ ପଞ୍ଚମ ଦିବସରେ ଆଉ ୩୨୪ ରନ୍ ଆବଶ୍ୟକ ହେଉଥିଲା ବେଳେ ଅଷ୍ଟ୍ରେଲିଆକୁ ଦରକାର ୧୦ ୱିକେଟ୍ । ପଞ୍ଚମ ଦିବସରେ ମଧ୍ୟ ବର୍ଷା ସମ୍ଭାବନା ରହିଥିବାରୁ ମ୍ୟାଚ୍ ଡ୍ର ଆଡକୁ ଗତି କରିପାରେ । ଏହି ଟେଷ୍ଟ ଯଦି ଡ୍ର ହୁଏ, ତେବେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବ । ଅନ୍ୟପକ୍ଷେ ଏହି ଟ୍ରଫି ହାତେଇବାକୁ ଅଷ୍ଟ୍ରେଲିଆକୁ ବିଜୟ ଜରୁରୀ ।

ପୂର୍ବରୁ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇନିଂସରେ ୨୯୪ ରନ୍ କରି ଅଲଆଉଟ୍ ହୋଇଥିଲା । ଦଳ ତରଫରୁ ଷ୍ଟିଭ୍ ସ୍ମିଥ୍ ଆକ୍ରମଣାତ୍ମକ ୫୫ ରନ୍ କରିଥିଲା ବେଳେ ଡେଭିଡ୍ ୱାର୍ଣ୍ଣର ୪୮, ମାର୍କସ୍ ହାରିସ୍ ୩୮ ଓ କାମେରନ ଗ୍ରୀନ୍ ୩୭ ରନ୍ କରିଥିଲେ । ଭାରତ ତରଫରୁ ମହମ୍ମଦ ସିରାଜ ଚମତ୍କାର ପ୍ରଦର୍ଶନ ସହ ୫ଟି ୱିକେଟ୍ ନେଇଥିଲେ । କ୍ୟାରିୟରର କେବଳ ତୃତୀୟ ଟେଷ୍ଟ ଖେଳୁଥିବା ସିରାଜଙ୍କ ଏହା ପ୍ରଥମ ପାଞ୍ଚ ୱିକେଟ୍ ସଫଳତା । ଶାର୍ଦ୍ଦୁଲ ଠାକୁର ୪ଟି ଓ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ୍ ପାଇଥିଲେ ।

ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୬୯ ରନ୍ କରିଥିଲା । ଏହାର ଜବାବରେ ସୁନ୍ଦର ଓ ଠାକୁରଙ୍କ ଲଢ଼ୁଆ ଅର୍ଦ୍ଧଶତକ ସହାୟତାରେ ଭାରତ ୩୩୬ ରନ୍ କରିଥିଲା । ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ ସ୍ଥିତିରେ ରହିଛି ।

Comments are closed.