ଭାରତକୁ ଆଗୁଆ ଖୋଲି ଦିଆଗଲା: ଫୌସି

ୱାଶିଂଟନ: କରୋନା ପଳାଇଲା ବୋଲି ଭାବି ଭାରତକୁ ଅତିଶୀଘ୍ର ଖୋଲି ଦିଆଗଲା ଏବଂ ସବୁ କୋଭିଡ୍ କଟକଣା କୋହଳ କରିଦିଆଗଲା । ଫଳ ସ୍ୱରୂପ ଦେଶ ଆଜି ମହାସଙ୍କଟରେ ଫସିଛି ବୋଲି ପ୍ରସିଦ୍ଧ ମହାମାରୀ ବିଶେଷଜ୍ଞ ତଥା ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଆନ୍ଥୋନୀ ଫୌସି କହିଛନ୍ତି ।

ଫୌସି କହିଛନ୍ତି ଯେ, ଭାରତରେ କରୋନାର ପ୍ରକୋପ ଶେଷ ହୋଇଗଲା ବୋଲି ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଥିଲା । ଏହି ସମୟରେ ପୂରା ଦେଶକୁ ଖୋଲି ଦିଆଗଲା । ସବୁ କୋଭିଡ୍ କଟକଣା ହଟାଇ ଦିଆଗଲା । ପରିଣାମ ସ୍ୱରୂପ ଭାରତ ଆଜି ମହାସଙ୍କଟରେ ଫସିଯାଇଛି । ଭାରତରେ କରୋନା ସଂକ୍ରମଣର ଭୟଙ୍କର ଦ୍ୱିତୀୟ ଲହରୀ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି । ଦେଶର ଅର୍ଦ୍ଧାଧିକ ରାଜ୍ୟରେ କୋଭିଡ୍ ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍ ନାହିଁ କି ଅକ୍ସିଜେନ ମିଳୁନି । ଆବଶ୍ୟକୀୟ ଔଷଧର ଅଭାବ ମଧ୍ୟ ଲୋକଙ୍କ ଉପରେ ଦାଉ ସାଧୁଛି । ସ୍ୱାସ୍ଥ୍ୟସେବା ଭୁଶୁଡି ପଡିଥିବା ବେଳେ ଲୋକେ ଆବଶ୍ୟକୀୟ ଚିକିତ୍ସା ନ ପାଇ ପ୍ରାଣ ହରାଉଛନ୍ତି ।

ଆମେରିକୀୟ ସିନେଟ୍‌ର ସ୍ୱାସ୍ଥ୍ୟ, ଶିକ୍ଷା, ଶ୍ରମ ଏବଂ ପେନସନ୍ ପ୍ୟାନେଲର କୋଭିଡ୍‌-୧୯ ସମ୍ବନ୍ଧୀୟ ଶୁଣାଣି ବେଳେ ଫୌସି ଭାରତର ଉଦାହରଣ ଦେଇଛନ୍ତି । ଫୌସି କହିଛନ୍ତି ଯେ, ଭାରତରେ କରୋନା ସଂକ୍ରମଣ ପ୍ରଥମେ ନିୟନ୍ତ୍ରଣରେ ଥିଲା । ସେତେବେଳେ କରୋନା ବିପଦ ଟଳିଗଲା ଭାବି ଭାରତରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଥିଲା । ଏହାଛଡା ଭାରତ ସରକାର ଆଗୁଆ ସବୁ କୋଭିଡ୍ କଟକଣା କୋହଳ କରିଦେଲେ ଏବଂ ପୂରା ଦେଶକୁ ଖୋଲିଦେଲେ । ସେହି ଭୁଲ ଯୋଗୁଁ ଭାରତରେ ଏବେ ସଂକ୍ରମଣ ପିକ୍‌ରେ ଅଛି ଏବଂ ବେଶ୍ ଘାତକ ସାବ୍ୟସ୍ତ ହୋଇଛି ।

Comments are closed.