ଭାରତରୁ କପା, ଚିନି ଆମଦାନି ଉପରୁ କଟକଣା ହଟାଇଲା ପାକିସ୍ତାନ

ନୂଆଦିଲ୍ଲୀ – ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପାକିସ୍ତାନ ବୁଧବାର ଭାରତରୁ ଚିନି ଓ କପା ଆମଦାନୀ ଉପରୁ କଟକଣା ହଟାଇଛି । ଦେଶର ଘରୋଇ କ୍ଷେତ୍ରକୁ ଭାରତରୁ ଚିନି ଓ କପା ଆମଦାନି ପାଇଁ ଅନୁମତି ଦିଆଯାଇଛି । ଏଥିସହ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ପୁନଃ ଆରମ୍ଭ କରିବାକୁ ପାକିସ୍ତାନ ସଙ୍କେତ ଦେଇଛି ।
ଦୁଇ ଦେଶ ମଧ୍ୟରେ ଗତ କିଛିଦିନ ଧରି ଉଷ୍ମତା ଦେଖିବାକୁ ମିଳିଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଦିବସ ଅବସରରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଥିଲେ । ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତର ଇମ୍ରାନ ଖାନ ଏକ ଚିଠି ଜରିଆରେ ଦେଇଥିଲେ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତ ସହ ପାକିସ୍ତାନ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି ବୋଲି କହିଥିଲେ । ଏଥିସହ ଉଭୟ ଦେଶ ମଧ୍ୟରେ କାଶ୍ମୀର ସମେତ ଅନ୍ୟ ସବୁ ବିବାଦର ସମାଧାନ ପାଇଁ ଦ୍ୱିପାକ୍ଷିକ ଆଲୋଚନା ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ଇମ୍ରାନ ଗୁରୁତ୍ୱାରୋପ କରିଥିଲେ ।

ମୋଦିଙ୍କ ପାଖକୁ ଇମ୍ରାନଙ୍କ ଚିଠିର ମାତ୍ର ଦିନକ ପରେ ପାକିସ୍ତାନର ଅର୍ଥନୈତିକ ବ୍ୟାପାର କ୍ୟାବିଟେନ ଘରୋଇ କ୍ଷେତ୍ରକୁ ଭାରତରୁ ଚିନି ଓ କପା ଆମଦାନି ପାଇଁ ଅନୁମତି ପ୍ରଦାନ କରିଛି । ଅନ୍ୟ ଦେଶ ତୁଳନାରେ ଭାରତର କପା ଓ ଚିନି କମ୍ ମୂଲ୍ୟରେ ମିଳୁଥିବା ବେଳେ ମାନ ଦୃଷ୍ଟିରୁ ମଧ୍ୟ ଉନ୍ନତ । ଭାରତ ହେଉଛି ବିଶ୍ୱର ବୃହତ କପା ଉତ୍ପାଦନକାରୀ ରାଷ୍ଟ୍ର ଏବଂ ଚିନି ଉତ୍ପାଦନରେ ଏହାର ସ୍ଥାନ ବିଶ୍ୱରେ ଦ୍ୱିତୀୟ ।

Comments are closed.