ଭାରତୀୟ ଘରୋଇ କ୍ଷେତ୍ରରେ କୋଭିଡ୍ ଟିକା ଦାମ୍ ସବୁଠୁ ମହଙ୍ଗା, ଡୋଜ୍ ପିଛା ଦେବାକୁ ପଡ଼ୁଛି ୭୦୦ରୁ ୧୫୦୦ ଟଙ୍କା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଥିବା ବେଳେ ଟିକା ହିଁ ଏବେ ଲୋକଙ୍କ ପାଇଁ ଏକମାତ୍ର ସୁରକ୍ଷା କବଚ ସାଜିଛି । ଏଭଳି ସ୍ଥିତିରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଏବଂ ଭାରତ ବାୟୋଟେକ୍ ନିଜ ଟିକା ଦାମ୍ ଅହେତୁକ ବୃଦ୍ଧି କରିବା ଜନସାଧାରଣଙ୍କୁ ବାଧିଛି । ୨୫୦ ଟଙ୍କାରୁ ଏବେ ଏହି ଦୁଇ କମ୍ପାନୀ ଦ୍ୱାରା ଉତ୍ପାଦିତ ଟିକାର ଦାମ ୬ ଗୁଣ ବଢ଼ି ଯାଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ)ର ‘କୋଭିସିଲ୍ଡ’ର ଘରୋଇ ମୂଲ୍ୟ ବଢ଼ି ଡୋଜ୍ ପିଛା ୭୦୦ରୁ ୯୦୦ ଟଙ୍କା ହୋଇଥିବା ବେଳେ ଭାରତ ବାୟୋଟେକ୍‌ର ‘କୋଭକ୍ସିନ’ ପାଇଁ ଘରୋଇ ହସ୍ପିଟାଲ ଗୁଡିକ ୧୨୫୦ରୁ ୧୫୦୦ ଟଙ୍କା ନେଉଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପୋର୍ଟାଲ ‘କୋ-ୱିନ୍‌’ ଅନୁଯାୟୀ ଘରୋଇ କ୍ଷେତ୍ରରେ ଦେଶର ଚାରି ବଡ଼ କର୍ପୋରେଟ୍ ହସ୍ପିଟାଲ ଆପୋଲୋ, ମାକ୍ସ, ଫୋର୍ଟିସ୍ ଏବଂ ମାନିପାଲ୍ ବହୁ ସଂଖ୍ୟାରେ ଟିକାକରଣ କରୁଛନ୍ତି ।

ବିଶ୍ୱର ଅଧିକାଂଶ ଦେଶରେ ଟିକା ମାଗଣା ଦିଆଯାଉଥିବା ବେଳେ ଭାରତରେ ଟିକା ପାଇଁ ଲୋକଙ୍କୁ ନିଜ ପକେଟ୍‌ରୁ ଖର୍ଚ୍ଚ କରିବାକୁ ପଡୁଛି । ଏହାଛଡ଼ା ଭାରତରେ କୋଭିଡ୍ ଟିକାର ଘରୋଇ ଦାମ୍ ଦୁନିଆରେ ସବୁଠୁ ମହଙ୍ଗା । ଘରୋଇ ହସ୍ପିଟାଲରେ ‘କୋଭିଶିଲ୍ଡ’ର ଗୋଟିଏ ଡୋଜ୍ ପାଇଁ ଏବେ ଲୋକଙ୍କୁ ୭୦୦ରୁ ୯୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ‘କୋଭାକ୍ସିନ’ ପାଇଁ ୧୨୦୦ରୁ ୧୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।

ଆରମ୍ଭରୁ କେନ୍ଦ୍ର ସରକାର ଉଭୟ ସେରମ୍ ଓ ଭାରତ ବାୟୋଟେକରୁ ଡୋଜ୍ ପିଛା ୧୫୦ ଟଙ୍କାରେ ଟିକା କିଣି ରାଜ୍ୟ ଓ ଘରୋଇ ହସ୍ପିଟାଲ ଗୁଡିକୁ ଯୋଗାଉଥିଲେ ।ସେତେବେଳେ ଘରୋଇ ହସ୍ପିଟାଲ ଗୁଡିକୁ ଡୋଜ୍ ପିଛା ୧୦୦ ଟଙ୍କା ଆଦାୟ କରିବାକୁ ଅନୁମତି ଦିଆଯାଇଥିଲା । ତଥାପି କିଛି ଘରୋଇ ହସ୍ପିଟାଲ ଡୋଜ୍ ପିଛା ଅଧିକ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । କିଛି ଘରୋଇ ହସ୍ପିଟାଲ ‘କୋଭିଶିଲ୍ଡ’ ଟିକା ପାଇଁ ଡୋଜ୍ ପିଛା ୨୫୦ରୁ ୩୦୦ ଟଙ୍କା ନେଉଥିବା ଜଣାପଡିଛି । ବଡ଼ ଘରୋଇ ହସ୍ପିଟାଲ ଗୁଡିକ ଏହାଠାରୁ ଦୁଇଗୁଣ ଚାର୍ଜ କରୁଛନ୍ତି ।

ଉଭୟ କମ୍ପାନୀ ସମାନ ଦରରେ ସବୁ ହସ୍ପିଟାଲକୁ ଟିକା ବିକ୍ରି କରୁଛନ୍ତି ନା ନାହିଁ ତାହା ଜଣାପଡି ନାହିଁ । ନିକଟରେ ସେରମ୍ ଘରୋଇ ହସ୍ପିଟାଲ ପାଇଁ ‘କୋଭିଶିଲ୍ଡ’ ର ପ୍ରତି ଡୋଜ୍ ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରିଥିଲା । ଭାରତ ବାୟୋଟେକ୍ ନିଜ ‘କୋଭାକ୍ସିନ’ ଡୋଜ ପିଛା ୧୨୦୦ ଟଙ୍କାରେ ଘରୋଇ ହସ୍ପିଟାଲ ଗୁଡିକୁ ବିକ୍ରି କରିବାକୁ ଘୋଷଣା କରିଥିଲା । ଉଭୟ କମ୍ପାନୀ କିନ୍ତୁ ଅଧା ମୂଲ୍ୟରେ ରାଜ୍ୟମାନଙ୍କୁ ଟିକା ଦେଉଛନ୍ତି । ରାଜ୍ୟ ଓ ଘରୋଇ ହସ୍ପିଟାଲ ପାଇଁ ଟିକା ମୂଲ୍ୟରେ ବଡ଼ ଅନ୍ତର ଥିବାବେଳେ ଅଧିକ ଲାଭ ପାଇଁ ଟିକା କମ୍ପାନୀମାନେ ନିଜ ଉତ୍ପାଦନର ସିଂହଭାଗ ଘରୋଇ ହସ୍ପିଟାଲକୁ ବିକିବେ ବୋଲି ସ୍ୱାସ୍ଥ୍ୟକର୍ମୀ ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

Comments are closed.