ମଝି ଆକାଶରେ ସନ୍ତାନ ଜନ୍ମ କଲେ ମହିଳା

ନୂଆଦିଲ୍ଲୀ – ବେଙ୍ଗାଲୁରୁ ରୁ ଏକ ଇଣ୍ଡିଗୋ ବିମାନ ଯେତେବେଳେ ଜୟପୁରରେ ପହଞ୍ଚିଲା, ସେହି ବିମାନରେ ଏକ ଅତିରିକ୍ତ ଯାତ୍ରୀ ଥିଲେ । ସେହ ଯାତ୍ରୀ ଜଣକ ହେଉଛନ୍ତି ଏକ ନବଜାତ କନ୍ୟା ସନ୍ତାନ । ବିମାନ ଆକାଶମାର୍ଗରେ ଥିବା ବେଳେ ଜଣେ ଗର୍ଭବତୀ ମହିଳା ଏହି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।

ମଙ୍ଗଳବାର ସକାଳେ ବେଙ୍ଗାଲୁରୁରୁ ଇଣ୍ଡିଗୋର ଏକ ଫ୍ଲାଇଟ୍ ଜୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ବିମାନ ପ୍ରାୟ ୩୦ ହଜାର ଫୁଟ ଉପରେ ଥିବା ବେଳେ ଜଣେ ଗର୍ଭବତୀ ମହିଳା ଯାତ୍ରୀଙ୍କ ପ୍ରସବ ବେଦନା ହୋଇଥିଲା ।

ମହିଳାଙ୍କ ସହାୟତା ପାଇଁ ବିମାନର କେବିନ କ୍ରୁ ଆଗେଇ ଆସିଥିଲେ । ସୌଭାଗ୍ୟ ବଶତଃ ସେହି ବିମାନରେ ଜଣେ ମହିଳା ଡାକ୍ତର ସୁବାହନା ନାଜିର ବି ଥିଲେ । ଡକ୍ଟର ନାଜିର ମଧ୍ୟ ମହିଳାଙ୍କୁ ସନ୍ତାନ ପ୍ରସବରେ ସାହାଯ୍ୟ କରିଥିଲେ । ମହିଳା ଜଣକ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ମହିଳା ଓ ତାଙ୍କ ନବଜାତ କନ୍ୟା ସନ୍ତାନ ପାଇଁ ଏକ ଆମ୍ବୁଲାନ୍ସ ଓ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜୟପୁର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଆଗୁଆ ସୂଚନା ଦିଆଯାଇଥିଲା ।

ଜୟପୁରରେ ପହଞ୍ଚିବା ପରେ ମହିଳା ଓ ତାଙ୍କ କନ୍ୟା ସନ୍ତାନ ସମେତ ତାଙ୍କୁ ସାହାଯ୍ୟ କରିଥିବା ଡକ୍ଟର ସୁବାହନା ନାଜିରଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ଦିଆଯାଇଥିଲା । ଉଭୟ ମହିଳା ଓ ତାଙ୍କ ଝିଅ ସୁସ୍ଥ ଅଛନ୍ତି ବୋଲି ଇଣ୍ଡିଗୋ ତରଫରୁ କୁହାଯାଇଛି ।

ଅକ୍ଟୋବର ୨୦୨୦ରେ ମଧ୍ୟ ଇଣ୍ଡିଗୋର ଦିଲ୍ଲୀ-ବେଙ୍ଗାଲୁରୁ ବିମାନରେ ଜଣେ ମହିଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସେହି ବିମାନରେ ବି ଜଣେ ଡାକ୍ତର ଥିଲେ, ଯିଏ ଉକ୍ତ ମହିଳାଙ୍କୁ ପ୍ରସବରେ ସାହାଯ୍ୟ କରିଥିଲେ ।

Comments are closed.