ମାସ୍କ ନ ପିନ୍ଧିବାରୁ ପୋଲିସ୍ କାଟିଲା ଚାଲାଣ, ବଦଳରେ ଥାନାର ଲାଇନ୍ କାଟିଲେ ବିଦ୍ୟୁତ ବିଭାଗର କର୍ମଚାରୀ

ନୋଏଡା – ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରାୟ ସବୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ ମୋଟା ଜରିମାନା ଲଗାଯାଉଛି । ଏହାରି ଭିତରେ ନୋଏଡାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି ।

ଗ୍ରେଟର ନୋଏଡାରେ ପୋଲିସ୍ ଚେକିଂ ବେଳେ ମାସ୍କ ପିନ୍ଧିନଥିବାରୁ ଜଣେ ପୋଲିସ୍ ଅଧିକାରୀ କିଛି ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ଚାଲାଣ କାଟିଥିଲେ । ଏହି ରାଗରେ ସେମାନେ ଚାଲାଣ କାଟିଥିବା ପୋଲିସ ବାବୁଙ୍କ ଘର ଓ ଥାନାର ଲାଇନ୍ କାଟି ଦେଇଥିଲେ ।

ଗତ ଗୁରୁବାର ରବୁପୁରା ଥାନା ଅଧୀନ ଅଞ୍ଚଳରେ ପୋଲିସ ପକ୍ଷରୁ ଚେକିଂ ଚାଲିଥିଲା । ଯେଉଁ ଲୋକ ମାସ୍କ ପିନ୍ଧନଥିଲେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିଲା । ଏହି ସମୟରେ ରବୁପୁରା ଥାନାର ଜଣେ ଇନ୍ସିପେକ୍ଟର ବିଦ୍ୟୁତ ବିଭାଗର କିଛି କର୍ମଚାରୀଙ୍କୁ ଅଟକାଇ ମାସ୍କ ପିନ୍ଧିନଥିବାରୁ ସେମାନଙ୍କ ଚାଲାଣ କାଟିଥିଲେ । ବିଦ୍ୟୁତ ବିଭାଗର କର୍ମଚାରୀମାନେ କହିଛନ୍ତି ଯେ, ସେମାନେ ମାସ୍କ ପିନ୍ଧିଥିବା ସତ୍ତ୍ୱେ ଥାନାବାବୁ ସେମାନଙ୍କ ଜୋର ଜବରଦସ୍ତି ଚାଲାଣ କାଟିଥିଲେ । ବିଦ୍ୟୁତ କର୍ମଚାରୀମାନେ ଏହାର ପ୍ରତିଶୋଧ ନେଇଥିଲେ । ସେମାନେ ରବୁପୁର ଥାନା ସହ ସେମାନଙ୍କ ଚାଲାଣ କାଟିଥିବା ଥାନା ଅଧିକାରୀଙ୍କ ଘରର ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ ।

ପରେ ଜଣାପଡିଥିଲା ଯେ, ରବୁପୁର ଥାନାର ଉକ୍ତ ଅଧିକାରୀ ବେଆଇନ ଭାବେ ବିଦ୍ୟୁତ ବ୍ୟବହାର କରୁଛନ୍ତି । ସେହିପରି ରବୁପୁର ଥାନା ଉପରେ ବି ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍ ବାକି ରହିଛି । ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଥାନାକୁ ପୁଣି ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଥିଲା ।

Comments are closed.