ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଘୋଷଣା, ଦିଲ୍ଲୀରେ ଲାଗିବ ସପ୍ତାହାନ୍ତ କର୍ଫ୍ୟୁ

ନୂଆଦିଲ୍ଲୀ – କରୋନା ଯୋଗୁଁ ରାଜଧାନୀରେ ବିଗିଡି ଯାଇଥିବା ସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ ଘୋଷଣା କରିଛନ୍ତି। ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟ ମଧ୍ୟରେ ମଲ୍, ଜିମ୍, ସ୍ପା ସବୁ ବନ୍ଦ ରହିବ । କିନ୍ତୁ ଆବଶ୍ୟକ କାର୍ଯ୍ୟ ପାଇଁ ଲୋକଙ୍କୁ କର୍ଫ୍ୟୁ ପାସ୍ ଦିଆଯିବ | ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେଜରିୱାଲ ଏହି ଘୋଷଣା କରିଛନ୍ତି।
ସିଏମ କେଜରିୱାଲ କହିଛନ୍ତି, ‘ଅତ୍ୟାବଶ୍ୟକ ସେବା ସହ ଜଡିତ ଲୋକଙ୍କୁ ଏବଂ ବିବାହ ପାଇଁ ଆମେ କର୍ଫ୍ୟୁ ପାସ୍ ଦେବୁ। ମଲ୍, ଜିମ୍, ସ୍ପା, ଅଡିଟୋରିୟମ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ସିନେମା ହଲ୍ ଗୁଡିକ ୩୦ ପ୍ରତିଶତ କ୍ଷମତାରେ ଚାଲିପାରିବ । ଗୋଟିଏ ଜୋନ୍ ଏବଂ ଗୋଟିଏ ଦିନ ପାଇଁ ଏକ ସାପ୍ତାହିକ ବଜାରକୁ ଅନୁମତି ଦିଆଯିବ । ସାପ୍ତାହିକ ବଜାରରେ ଅଧିକ ଭିଡ଼ ନହେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଲୋକଙ୍କୁ ଆଉ ରେଷ୍ଟୁରାଣ୍ଟରେ ବସି ଖାଇପାରିବେ ନାହିଁ । କେବଳ ହୋମ୍ ଡେଲିଭରି ଅନୁମତି ଦିଆଯିବ ।

ଦିଲ୍ଲୀର ହସ୍ପିଟାଲ ଗୁଡ଼ିକରେ ବେଡ୍ ର ଅଭାବ ନାହିଁ ବୋଲି ସିଏମ କେଜରିୱାଲ କହିଛନ୍ତି। ସେ କହିଛନ୍ତି, ‘ଏହି ସମୟରେ, ଏତେ ବଡ ମହାମାରୀରେ, ପ୍ରତ୍ୟେକ ଅଭାବୀ ବ୍ୟକ୍ତିଙ୍କୁ ଯେଭଳି ବେଡ୍ ମିଳିବ ସେନେଇ ଆମର ପ୍ରୟାସ ଜାରି ରହିଛି। ତେଣୁ କୌଣସି ଗୋଟିଏ ହସ୍ପିଟାଲରେ ଭର୍ତ୍ତି ହେବାକୁ ଜିଦ୍ ନ କରିବା ପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ଲୋକେ ଅନ୍ୟ ହସ୍ପିଟାଲକୁ ମଧ୍ୟ ଯାଇପାରିବେ ବୋଲି ସେ କହିଛନ୍ତି । ବର୍ତ୍ତମାନ ଦିଲ୍ଲୀର ହସ୍ପିଟାଲ ଗୁଡିକରେ ୫୦୦୦ ଶଯ୍ୟା ଖାଲି ଅଛି। ଅକ୍ସିଜେନ ବେଡ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ଉଦ୍ୟମ ହେଉଛି ।
ବୁଧବାର ଦିନ ଦିଲ୍ଲୀରେ କୋଭିଡ-୧୯ର ୧୭,୨୮୨ଟି ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବୋଚ୍ଚ ଅଟେ। କୋଭିଡରେ ପୁଣି ୧୦୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ସକ୍ରିୟ ମାମଲା ସଂଖ୍ୟା ୫୦,୭୩୬ରେ ପହଞ୍ଚିଛି | ଏହାପୂର୍ବରୁ ମଙ୍ଗଳବାର ଦିନ ୧୩,୪୬୮ ମାମଲା ଆସିଥିଲାଏବଂ ୮୧ ଜଣଙ୍କର ମୃତ୍ୟୁ ହୋଇଥିଲା ।

Comments are closed.