ମୂରବୀଶୂନ୍ୟ ଝାରସୁଗୁଡା ବିଜେପି

ସମ୍ବଲପୁର : ସାଧାରଣ ନିର୍ବାଚନକୁ ଦେଢ ବର୍ଷ ପୂରିଛି । ଏହାରି ମଧ୍ୟରେ ଆଗକୁ ପଞ୍ଚାୟତି ଏବଂ ପୌର ନିର୍ବାଚନ ଆସୁଛି । ପ୍ରତି ରାଜନୈତିକ ଦଳ ପାଇଁ ଏହି ଦୁଇଟି ନିର୍ବାଚନ ବେଶ୍ ଗୁରୁତ୍ଵପୂର୍ଣ । ହେଲେ ଏଥିପାଇଁ ପ୍ରସ୍ତୁତି କରିବାକୁ କିନ୍ତୁ , ଝାରସୁଗୁଡା ବିଜେପି ଏକପ୍ରକାର ଆଣ୍ଠେଇ ପଡିଛି । କହିବାକୁ ଗଲେ ଜିଲ୍ଲା ବିଜେପି ଏକପ୍ରକାର ମୂରବୀଶୂନ୍ୟ ହୋଇପଡିଛି । ଗତ ସାଧାରଣ ନିର୍ବାଚନ ପରେ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀ ଶାସକ ବିଜେଡି ହାତକୁ ଚାଲିଯିବା ପରେ ବିଜେପିର ସ୍ଥିତି ଅତି ସଙ୍ଗୀନ ହୋଇପଡ଼ିଛି ।

ଏହି ଜିଲ୍ଲାର ଇତିହାସରେ ଝାରସୁଗୁଡା ବିଧାନସଭା ଆସନକୁ କେବେ ବି ବିଜେପି ଦଖଲ କରିନଥିବା ବେଳେ ଗତ ୨୦୧୪ରେ ପ୍ରଥମ କରି ବ୍ରଜରାଜନଗର ଆସନକୁ ଦଳ ଦଖଲ କରିଥିଲା । ହେଲେ ବର୍ତ୍ତମାନ ଦଳ ଉଭୟ ଆସନରୁ ଦୂରରେ ରହି ସଂଗଠାନିକ ଦୃଷ୍ଟିରୁ ସାଂଘାତିକ ସ୍ଥିତିକୁ ଚାଲି ଆସିଛି । ବ୍ରଜରାଜନଗର ଆସନରୁ ଗତ ସାଧାରଣ ନିର୍ବାଚନରେ ଲଢି ପରାଜୟ ଭୋଗିଥିବା ତତ୍କାଳୀନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ହାତରେ ଦଳୀୟ ସଂଗଠନ ବେଶ କିଛି ବର୍ଷ ହେଲା ପରିଚାଳିତ ହୋଇଆସିଛି । ହେଲେ ଗତ ସାଧାରଣ ନିର୍ବାଚନ ଠାରୁ ରାଧାରାଣୀ ଖୋଦ୍ କିଛି କର୍ମୀଙ୍କୁ ବହିଷ୍କାର କରି ଦଳ ରୁ ଘୋର ବିବାଦର ସମ୍ମୁଖୀନ ହୋଇଆସିଥିଲେ । ଆଉ ଏହା ହିଁ ତାଙ୍କ ପରାଜୟର କାରଣ ହୋଇଥିଲା ବୋଲି ସେହି ସମୟରେ ଚର୍ଚ୍ଚା ଜୋର ଧରିଥିଲା । ତେବେ , ନିର୍ବାଚନ ପରଠାରୁ ରାଧାରାଣୀ ଜିଲ୍ଲା ସଭାପତି ଥାଇ ମଧ୍ୟ ଦଳୀୟ ସଂଗଠନରେ ସେତେଟା ସକ୍ରିୟ ଥିବା ଆଲୋଚନାର ବିଷୟ ହୋଇଥିଲା ।

ଏଭଳି ସ୍ଥିତିରେ ପ୍ରାୟ ବର୍ଷେ ହେଲା ଦଳୀୟ ସଂଗଠନ ଦିଗହରା ହୋଇଯାଇଛି । ସେହିପରି ସାସ୍ଥ୍ୟଗତ କାରଣରୁ ରାଧାରାଣୀଙ୍କୁ ବି ଆଗଭଳି ସକ୍ରିୟ ଭାବେ ଦେଖିବାକୁ ମିଳୁନଥିବା ବେଳେ ତାଙ୍କ ଅନୁଗତ ବି ସାଂଘାତିକ କୋଣଠେସା ହୋଇ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ବରଗଡ ସାଂସଦ ସୁରେଶ ପୂଜାରୀ କେବଳ ତାଙ୍କର ହାତଗଣତି ପୁରୁଣା କର୍ମୀଙ୍କୁ ଧରି ଗାଁ ଗାଁ ଅଞ୍ଚଳରେ ବୁଲାବୁଲି କରିବା ଦ୍ଵାରା ଦଳର ଉପସ୍ଥିତି କେବଳ ବଞ୍ଚିରହିଥିବା ନେଇ ବି ରାଜନୈତିକ ମହଲରେ ଆଲୋଚନା ହେଉଛି । ସେପଟେ , ଉଭୟ ବିଧାନସଭା ଆସନରେ ବିଜେପି ଆଉ ଟକ୍କର ଦେବା ସ୍ଥିତିରେ ନଥିବା ନେଇ ଖୋଦ୍ କର୍ମୀ ମହଲରେ ଆଲୋଚନା ସରଗରମ ହେଉଥିବା ବେଳେ ରାଧାରାଣୀଙ୍କ ପରେ ଦଳ ଆଉ ନୂଆଁ ମୁହଁକୁ ବି ସାମ୍ନାକୁ ଆଣିବାକୁ ସାହସ୍ ଜୁଟାଇପାରୁନାହିଁ । ଫଳରେ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ କାହା ନେତୃତ୍ବରେ ଦଳ ଲଢିବ ବୋଲି ପ୍ରଶ୍ନ ଉଠିଛି । ଆଉ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବେଲପାହାଡ , ବ୍ରଜରାଜନଗର ଏବଂ ଝାରସୁଗୁଡା ତିନି ପୌର ପରିଷଦର ଫଳାଫଳକୁ ସେମି ଫାଇନାଲି କୁହାଯାଉଛି । ତଥାପି ପଦ୍ମଦଳ ଏବେଠାରୁ ଶାସକ ବିଜେଡି ପାଖରେ ଆତ୍ମସମର୍ପଣ କଲା ଭଳି ଆଚରଣ ଖୋଦ୍ ଦଳୀୟ କର୍ମୀଙ୍କୁ ମର୍ମାହତ କରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ରାଧାରାଣୀ ଅସୁସ୍ଥ ଥିବା ବେଳେ ତାଙ୍କୁ ଫୋନ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଆଉ ସେହି ଘଟଣାକୁ ରାଧାରାଣୀ ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କ ଭୂୟଶୀ ପ୍ରଶଂସା କରିଥିଲେ । ହେଲେ ଖୋଦ୍ ତାଙ୍କ ଦଳର ଅନେକ ଛାମୁଆ ନେତାଙ୍କ ଠାରୁ ତାଙ୍କୁ ସହାନୁଭୂତି ଟିକିଏ ମିଳିନଥିବା ନେଇ ଚର୍ଚ୍ଚା ହୋଇଥିଲା । ଆଉ ମୁଖ୍ୟମନ୍ତ୍ରୀଙ୍କ ଖୋଲାଖୋଲି ପ୍ରଶଂସା କରି ରାଧାରାଣୀ ପୁଣି ଥରେ ଶଂଖ କ୍ୟାମ୍ପକୁ ଘରବାହୁଡା କରିବାର ଯୋଜନାରେ ଅଛନ୍ତି କି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ।

Comments are closed.