ମୋଦିଙ୍କୁ ସୋନିଆଙ୍କ ଚିଠି: ମାଗଣା ଟିକା ଦାୟିତ୍ବରୁ ଦୂରେଇ ଯାଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ – କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାର ଭୟାବହ ଲହରୀ ମଧ୍ୟରେ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସୋନିଆ କରୋନା ବିରୋଧରେ ନୂଆ ଟୀକାକରଣ ନୀତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ ଟୀକାକରଣର ନୂଆ ନୀତି ମାଧ୍ୟମରେ କେନ୍ଦ୍ର ସରକାର ୧୮ ରୁ ୪୫ ବର୍ଷ ବୟସର ଲୋକଙ୍କୁ ମାଗଣା ଟିକା ଦେବା ଦାୟିତ୍ଵରୁ ଦୂରେଇ ଯାଉଛନ୍ତି। ସରକାରଙ୍କ ନୀତିକୁ ମନମୁଖୀ ଏବଂ ପକ୍ଷପାତ ବୋଲି କହି ତୁରନ୍ତ ଏଥିରେ ପରିବର୍ତ୍ତନ ପାଇଁ ସୋନିଆ ଦାବି କରିଛନ୍ତି।

ସୋନିଆ ଗାନ୍ଧୀ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା କୋଭିଡ୍ ଟୀକାର ଭିନ୍ନ ଭିନ୍ନ ମୂଲ୍ୟ ସ୍ଥିର କରିବା ଉପରେ ପ୍ରଶ୍ନ କରିଛନ୍ତି । ଗୋଟିଏ ଟିକାର କିପରି ଭିନ୍ନ ଭିନ୍ନ ମୂଲ୍ୟ ସ୍ଥିର କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ନୀତି ପାଇଁ ଲୋକଙ୍କୁ ଅଧିକ ଅର୍ଥ ଦେବାକୁ ପଡିବ ଏବଂ ରାଜ୍ୟ ସରକାର ମାନଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ | ସେ ଲେଖିଛନ୍ତି, ଡାକ୍ତରଖାନାରେ ଶଯ୍ୟା, ଔଷଧ, ଅମ୍ଳଜାନର ଅଭାବ ଦେଖାଦେଇଥିବା ସମୟରେ ସରକାର କିପରି ଏହିପରି ଲାଭବାନ ହେବାକୁ ଚାହୁଁଛନ୍ତି ?

ସେ କହିଛନ୍ତି, ‘ଏହି ନୀତିର ସମୀକ୍ଷା କରାଯିବାକୁ କଂଗ୍ରେସ ଦାବି କରିସାରିଛି। ନିଶ୍ଚିତ ଭାବରେ ଯେକେହି ବି ଟିକାର ସମାନ ମୂଲ୍ୟ ନିର୍ଦ୍ଧାରଣ ହେଉ ବୋଲି ଚାହିଁବ । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ଏବଂ ଏହି ଭୁଲ ନିଷ୍ପତ୍ତି ପରିବର୍ତ୍ତନ କରନ୍ତୁ । ଲୋକଙ୍କ ଆର୍ଥିକ ଅବସ୍ଥା ଯାହା ହେଉନା କାହିଁକି ଦେଶର ଲକ୍ଷ୍ୟ ଏହା ହେବା ଉଚିତ ଯେ ୧୮ ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କୁ ଟିକା ଦିଆଯାଉ।

ସେରମ୍ ଇନଷ୍ଟିଚ୍ୟୁଟ୍ ବୁଧବାର କୋଭିଶିଲ୍ଡ ଟିକା ର ନୂଆ ଦର ସ୍ଥିର କରିଥିଲା । ସେରମ୍ କହିଥିଲା ଯେ କୋଭିଶିଲ୍ଡ ଟିକା ଘରୋଇ ହସ୍ପିଟାଲକୁ ୬୦୦ ଟଙ୍କାରେ ଦିଆଯିବ। ପୂର୍ବରୁ ଏହି ଟିକା ଘରୋଇ ହସ୍ପିଟାଲଗୁଡ଼ିକୁ ୨୫୦ ଟଙ୍କାରେ ଦିଆଯାଉଥିଲା। ରାଜ୍ୟଗୁଡିକ ପାଇଁ ଏହି ଟିକା ମୂଲ୍ୟ ୪୦୦ ଟଙ୍କା ହେବ ଏବଂ ପୂର୍ବ ପରି ୧୫୦ ଟଙ୍କାରେ ଏହି ଟିକା କେନ୍ଦ୍ର ପାଇବ ।

Comments are closed.