ଯାଜପୁର ଆଇଟିଆଇରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର: ଯାଜପୁରସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ( ଆଇଟିଆଇ ) ରେ ଥର୍ମାଲ କଟିଂ ଏବଂ ୱେଲଡିଂ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରାୟ ୫.୨୫ କୋଟି ଟଙ୍କା ବ୍ୟୟରେ ଏହି ଉତ୍କର୍ଷ କେନ୍ଦ୍ର ୬ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ । ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ ମେସର କଟିଂ ସିଷ୍ଟମସ୍ ଇଣ୍ଡିଆ ପ୍ରା . ଲି ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଆଜି ଏହି ଚୁକ୍ତିନାମାରେ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି . ଓ ମେସର କଟିଂ ସିଷ୍ଟମସ୍‌ ଇଣ୍ଡିଆ ପ୍ରା . ଲିର ନିର୍ଦ୍ଦେଶକ ( ସେଲସ୍ ଓ ମାର୍କେଟିଂ ) ଉଦୟ ମୁଖାର୍ଜୀ ସ୍ବାକ୍ଷର କରିଛନ୍ତି । ଯାଜପୁରର ଏହି ଉତ୍କର୍ଷ କେନ୍ଦ୍ର ନିମନ୍ତେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପକ୍ଷରୁ ବେରୋଜଗାର ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶ ପାଇଁ ରହିଥିବା ପାଣ୍ଠି ବିନିଯୋଗ କରାଯିବ ।

ଯାଜପୁର ଶିଳ୍ପ କ୍ଲଷ୍ଟରରେ ଥିବା ସମସ୍ତ ଆବଶ୍ୟକତାକୁ ଉପରୋକ୍ତ ଉତ୍କର୍ଷ କେନ୍ଦ୍ର ପୂରଣ କରିବ ଏବଂ ଥର୍ମାଲ କ ତଥା ୱେଲଡିଂରେ ଉର୍ତ୍ତଣ୍ଣ ଆଇଟିଆଇ ବିଦ୍ୟାର୍ଥୀ ତଥା ଡିପ୍ଲୋମା ଇଂଜିନିୟରମାନଙ୍କୁ ଏହି କେନ୍ଦ୍ର ଅପସ୍କିଲ କରାଇବ । ବେଙ୍ଗାଲୁରୁରେ କର୍ଣ୍ଣାଟକ ସରକାରଙ୍କ ସହଯୋଗିତାରେ ମେସର କଟିଂ ସିଷ୍ଟମସ୍ ଇଣ୍ଡିଆ ଅନୁରୂପ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଯାଜପୁରର ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଥର୍ମାଲ କଟିଂ ଏବଂ ୱେଲଡିଂ ବିଭାଗରେ କୌଶଳ ବ୍ୟବଧାନ ଦୂର ହେବା ସହିତ ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ହେବ ଏବଂ ନିଯୁକ୍ତି ସୁଯୋଗ ମିଳିବ । ମେସର କଟିଂ ସିଷ୍ଟମର ପ୍ରଶିକ୍ଷକମାନେ ଏକ ବର୍ଷ ପାଇଁ ତାଲିମ ଦେବେ ଏବଂ ଆଇଟିଆଇ ତଥା ପଲିଟେକ୍‌ନିକ୍‌ର ପ୍ରଶିକ୍ଷାର୍ଥୀମାନେ ମଧ୍ୟ ଏହି ଉତ୍କର୍ଷ କେନ୍ଦ୍ର ଦ୍ଵାରା ଉପକୃତ ହେବେ । ଏହି ପରିବେଶ ଅନୁକୂଳ ଆଧୁନିକ କର୍ମଶାଳା ବିଭିନ୍ନ ଶିଳ୍ପାନୁଷ୍ଠାନର ଅର୍ଦ୍ଦକୁଶଳୀ କର୍ମଚାରୀମାନଙ୍କୁ ଦକ୍ଷତା ବୃଦ୍ଧି ନିମନ୍ତେ ସାହାଯ୍ୟ କରିବ । ପ୍ରଶିକ୍ଷକମାନଙ୍କୁ ତାଲିମ ଦେବା ପାଇଁ ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ର ୧୦ ପ୍ରଶିକ୍ଷଣ ଅଧୁକାରୀଙ୍କୁ ମେସର କଟିଂ ସିଷ୍ଟମସ୍ ଇଣ୍ଡିଆ ଦ୍ଵାରା ପ୍ରତିଷ୍ଠିତ ଉତ୍କର୍ଷ କେନ୍ଦ୍ର ଅଥବା ନିଜ ପ୍ଲାଣ୍ଟରେ ଦିଆଯିବ । ପ୍ରଶିକ୍ଷାର୍ଥୀମାନଙ୍କ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ସକାଶେ ବିଭିନ୍ନ ଅତ୍ୟାଧୁନିକ ଅଣବିନାଶକ ଓ ବିନାଶକ ପରୀକ୍ଷଣ ଉପକରଣ ଉପଲବ୍ଧ ହେବ । ସଫଳ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଚୁକ୍ତିନାମା ସ୍ଵାକ୍ଷର କାର୍ଯ୍ୟକ୍ରମରେ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଅଜୟ ପଣ୍ଡା , ଉପନିର୍ଦ୍ଦେଶକ ( ପ୍ରୋକ୍ୟୁମେଣ୍ଟ ) ସୁଯୋଗ୍ୟ ମିଶ୍ର , ମେସର କଟିଂ ସିଷ୍ଟମସ୍ ଇଣ୍ଡିଆ ପ୍ରା . ଲିର ମହାପ୍ରବନ୍ଧକ ପ୍ରଶାନ୍ତ ଚତୁର୍ବେଦୀ ଓ ବିକ୍ରୟ ପ୍ରବନ୍ଧକ ଶଙ୍ଖ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.