ଶଶି ଥରୁର ଓ ରାଜଦୀପ ସରଦେଶାଇଙ୍କ ଗିରଫ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – କଂଗ୍ରେସ ସାଂସଦ ଶଶି ଥରୁର ଓ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ସମେତ ଅନ୍ୟ ପାଞ୍ଚଜଣଙ୍କ ଗିରଫ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଗଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସା ନେଇ ବିଭ୍ରାନ୍ତିକର ଖବର ସୋସିଆଲ ମିଡିଆରେ ସେୟାର କରିବା ଓ ହିଂସାକୁ ଉସକାଇବା ଭଳି ଟ୍ୱିଟ୍ କରିବା ଅଭିଯୋଗରେ ଥରୁର ଓ ରାଜଦୀପଙ୍କ ସମେତ ସାମ୍ବାଦିକ ଅନନ୍ତ ନାଥ, ପରେଶ ନାଥ, ବିନୋଦ କେ.ଯୋସ୍‌, ମୃଣାଳ ପାେ ଓ ଜାଫର ଆଗାଙ୍କ ବିରୋଧରେ ବିଭିନ୍ନ ଥାନାରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା । ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ବୋବଡେଙ୍କ ଅଧ୍ୟକ୍ଷତାରେ ସପ୍ରିମକୋର୍ଟର ଏକ ଖଣ୍ଡପୀଠ ଏହି ସାତ ଜଣଙ୍କ ଗିରଫ ଉପରେ ରୋକ୍ ଲଗାଇଛନ୍ତି । ଏହି ମାମଲାରେ କେନ୍ଦ୍ର, ଉତ୍ତର ପ୍ରଦେଶ ଓ ଦିଲ୍ଲୀ ପୋଲିସ ଠାରୁ କୋର୍ଟ ଜବାବ ତଲବ କରିଛନ୍ତି । ପନ୍ଦର ଦିନ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଉଲ୍ଲେଖଯୋଗ୍ୟ, ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଉକ୍ତ ଚାଷୀଙ୍କ ମୃତ୍ୟୁ ପୋଲିସ୍ ଗୁଳିରେ ହୋଇଛି ବୋଲି ଥରୁର, ରାଜଦୀପ ଓ ଅନ୍ୟ ପାଞ୍ଚ ସାମ୍ବାଦିକ ଟ୍ୱିଟ୍ କରିଥିଲେ । ତେବେ ଟ୍ରାକ୍ଟର ଓଲଟି ଚାଷୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବା ପରେ ସେମାନେ ନିଜ ଟ୍ୱିଟ୍ ଡିଲିଟ୍ କରିଥିଲେ ଏବଂ ଏହି ଖବର ଉପରେ ସଂଶୋଧିତ ପୋଷ୍ଟ ସେୟାର କରିଥିଲେ ।

Comments are closed.