ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା ସୁବିଧା

ଭୁବନେଶ୍ୱର: ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା । ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ସେବାୟତଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ| ଏହି ଯୋଜନାରେ ପ୍ରତି ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ଲକ୍ଷ ଟଙ୍କାର ମୌଳିକ ବୀମା ସୁରକ୍ଷା ଓ ଗୁରୁତର ଅସୁସ୍ଥତା କ୍ଷେତ୍ରରେ ୧ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ମିଳିବ |ସେହିଭଳି କ୍ୟାନ୍ସର୍ ଓ କିଡ଼ନୀ ପ୍ରତିରୋପଣ କ୍ଷେତ୍ରରେ ୨୫ଜଣ ପର୍ଯ୍ୟନ୍ତ ଚିକିତ୍ସିତ ବ୍ୟକ୍ତିଙ୍କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ବୀମା ସୁରକ୍ଷା ଉପଲବ୍ଧ ହେବ ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜିର ବୈଠକରେ ଏହା ଚୂଡ଼ାନ୍ତ ହୋଇଛି । ଏହି ଅନୁମୋଦିତ ବୀମା ଯୋଜନା ଦ୍ୱାରା ପ୍ରାୟ ୨୫୦୦ ସେବକ ପରିବାର ସ୍ବାସ୍ଥ୍ୟ ବୀମା ସୁବିଧା ପାଇ ପାରିବେ ।ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ସହ ସଂପୃକ୍ତ ସମସ୍ତ ସେବକ ମାନଙ୍କୁ ସ୍ବାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେବା ପାଇଁ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କୁ ନିଯୁକ୍ତ କରାଯାଇଛି । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି |

Comments are closed.