ସଂକ୍ରମଣରେ ଭାରତର ପୁଣି ଅଲୋଡ଼ା ରେକର୍ଡ, ଦିନକରେ ୩.୩୨ ଲକ୍ଷ ମାମଲା, ୨୨୬୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଭାରତରେ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣର ଭୟାବହ ବେଗ ଜାରି ରହିଛି । ଦୈନିକ ସଂକ୍ରମଣରେ ଭାରତ ପୁଣି ଥରେ ଅଲୋଡ଼ା ବିଶ୍ୱ ରେକର୍ଡ କରିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୩୨,୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ୩ ଲକ୍ଷ ଅତିକ୍ରମ କରିଛି । ଗତକାଲି ପ୍ରଥମ ଥର ଦେଶରେ ଦୈନିକ ସଂକ୍ରମଣ ତିନି ଲକ୍ଷ ଟପିଥିଲା । ଗତକାଲି ୩.୧୪ ଲକ୍ଷ ମାମଲା ଆସିଥିଲା, ଯାହା ବିଶ୍ୱର ଯେକୌଣସି ଦେଶରେ ସର୍ବାଧିକ । ଆଜି ଏହି ସଂଖ୍ୟା ଆହୁରି ବଢ଼ିଛି ।

ଦୈନିକ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟାରେ ବି ରେକର୍ଡ ବୃଦ୍ଧି ଘଟିବା ଚିନ୍ତାର କାରଣ ହୋଇଛି । ଅକ୍ସିଜେନ୍ ଅଭାବାରୁ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି । ଗତ ୨୪ ଘଣ୍ଟାରେ ଏହି ଘାତକ ରୋଗରେ ୨୨୬୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି, ଯାହାକି ସର୍ବକାଳୀନ ରେକର୍ଡ । କ୍ରମାଗତ ଦ୍ୱିତୀୟ ଦିନ ଦୁଇ ହଜାରରୁ ଊର୍ଦ୍ଧ୍ୱ ରୋଗୀ ପ୍ରାଣ ହରାଇଛନ୍ତି ।

ଭାରତରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୬୩ ହଜାର ୬୯୫ରେ ପହଞ୍ଚିଛି । ଏହି ମହାମାରୀରେ ଏଯାବତ ୧ ଲକ୍ଷ ୮୬ ହଜାର ୯୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ଚିନ୍ତାଜନକ ଭାବେ ବଢ଼ି ଚାଲିଛି । ଦେଶରେ ଏବେ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୪ ଲକ୍ଷ ୨୮ ହଜାର ୬୧୬ରେ ପହଞ୍ଚିଛି ।

Comments are closed.