ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି

ମୁ୍‌ମ୍ବାଇ – ନିକଟରେ କରୋନାରେ ସଂକ୍ରମିତ ହୋଇଥିବା ବ୍ୟାଟିଂ କିମ୍ବଦନ୍ତୀ ସଚିିନ ତେନ୍ଦୁଲକର ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ସଚିନ ଟ୍ୱିଟ୍ କରିଛନ୍ତି ।

ଛଅ ଦିନ ତଳେ ସଚିନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସେ ସବୁ କୋଭିଡ୍ ପ୍ରୋଟୋକଲ ପାଳନ ପୂର୍ବକ ଘରେ ନିଜକୁ କ୍ୱାରେଣ୍ଟାଇନ କରିଥିଲେ । ତେବେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲା ।

ସଚିନ ଆଜି ଟ୍ୱିଟରରେ ହସ୍ପିଟାଲରେ ଭର୍ତ୍ତି ହେବା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁଁ ଶୀଘ୍ର ସୁସ୍ଥ ହୋଇ ଫେରିବି । ମୋ ପାଇଁ ଆପଣ ସବୁ ପ୍ରାର୍ଥନା କରୁଛନ୍ତି । ଏଥିପାଇଁ ଆପଣମାନଙ୍କୁ ଧନ୍ୟବାଦ । ଏଥିସହ ସଚିନ ୨୦୧୧ ବିଶ୍ୱକପ ବିଜୟର ଦଶମ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀ ଓ ତାଙ୍କ ପୂର୍ବତନ ସାଥୀ ଖେଳାଳିଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ସଚିନ ଓ ଭାରତର ଅନେକ ପୂର୍ବତନ ଖେଳାଳି ଗତମାସରେ ଅନୁଷ୍ଠିତ ରୋଡ୍ ସେଫ୍ଟି ୱାର୍ଲ୍ଡ ସିରିଜ ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ । ସଚିନ ଭାରତୀୟ ଲିଜେଣ୍ଡସ ଦଳର ନେତୃତ୍ୱ ନେଇଥିଲେ । ଫାଇନାଲରେ ଶ୍ରୀଲଙ୍କା ଲିଜେଣ୍ଡ୍‌ସକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ଶ୍ରୀଲଙ୍କା ବ୍ୟତୀତ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟ ଦର୍ଶକଙ୍କ ଗହଣରେ ଖେଳାଯାଇଥିଲା ।

Comments are closed.