ସଦ୍ଦାମ ହୁସେନଙ୍କ ଅନୁକରଣ କରି ଶାଶୁ ଘର ଲୋକଙ୍କୁ ମାଛ ତରକାରୀରେ ସ୍ଲୋ ପଏଜନ୍ ଦେଲେ ଯୁବକ; ଶାଶୁ ଓ ଶାଳୀ ମୃତ, ସ୍ତ୍ରୀ ଗୁରୁତର

ନୂଆଦିଲ୍ଲୀ – ନିଜ ଶାଶୁ ଓ ଶାଳୀଙ୍କୁ ସ୍ଲୋ ପଏଜନ୍ ଦେଇ ହତ୍ୟା କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅତି ଯୋଜନାବଦ୍ଧ ଭାବେ ସେ ଏହି ହତ୍ୟାକାଣ୍ଡକୁ ରୂପ ଦେଇଥିଲା । ୩୭ ବର୍ଷୀୟ ବରୁଣ ଆରୋରା ମାଛ ତରକାରୀରେ ଥଲିୟମ୍ ନାମକ ଏକ ସ୍ଲୋ ପଏଜନ୍ ମିଶାଇ ନିଜ ଶାଶୁଘର ଲୋକଙ୍କୁ ଦେଇଥିଲେ । ଏହି ମାଛ ତରକାରୀ ଖାଇ ତାଙ୍କ ଶାଶୁ ଓ ଶାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ବରୁଣଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି ।

ଇରାକର ପୂର୍ବତନ ଏକଛତ୍ରବାଦୀ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ଶୈଳୀର ଅନୁକରଣ ପୂର୍ବକ ବରୁଣ ନିଜ ଶାଶୁଘର ଲୋକଙ୍କୁ ମାରିବା ପାଇଁ ଥଲିୟମ୍ ବ୍ୟବହାର କରିଥିଲେ । ସଦ୍ଦାମ ହୁସେନ ନିଜ ବିରୋଧୀଙ୍କୁ ହତ୍ୟା କରିବା ପାଇଁ ଏହି ସ୍ଲୋ ପଏଜନ୍‌ର ବ୍ୟବହାର କରୁଥିଲେ । ଥଲିୟମ୍ ବିଷୟରେ ବରୁଣ ଇଣ୍ଟରନେଟ୍‌ରୁ ଜାଣିବାକୁ ପାଇଥିଲେ । ସେ ତାଙ୍କ ଶାଶୁଘର ଲୋକଙ୍କୁ ଦେଇଥିବା ଖାଦ୍ୟରେ ଥଲିୟମ୍ ମିଶା ଯାଇଥିଲା ବୋଲି ତଦନ୍ତରୁ ସ୍ପଷ୍ଟ ହେବା ପରେ ବରୁଣଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା । ବରୁଣ ତାଙ୍କ ଶ୍ୱଶୂର ଏବଂ ଶାଶୁଙ୍କ ଭଉଣୀଙ୍କୁ ମଧ୍ୟ ଥଲିୟମ୍ ଦେଇ ମାରିବାକୁ ଉଦ୍ୟମ କରିଥିଲା ବୋଲି ପୋଲିସ୍ ତଦନ୍ତରୁ ଜାଣିବାକୁ ପାଇଛି । ଶ୍ୱଶୁର ବଞ୍ଚିଯାଇଥିଲା ବେଳେ ବରୁଣଙ୍କ ଶ୍ୱଶୁରଙ୍କ ସାନଭଉଣୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଶାଶୁଘର ଲୋକଙ୍କ ଦ୍ୱାରା ଅପମାନିତ ହୋଇଥିବାରୁ ବରୁଣ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଭିଆଇଥିଲା ବୋଲି ପୋଲିସ୍ କହିଛି ।

Comments are closed.