ସାଙ୍ଗାକାରା ହେଲେ ରାଜସ୍ଥାନ ରୟାଲ୍ସର କ୍ରିକେଟ୍ ନିର୍ଦ୍ଦେଶକ

ନୂଆଦିଲ୍ଲୀ – ଆଇପିଏଲର ଆଗାମୀ ସିଜନ୍ ପାଇଁ ରାଜସ୍ଥାନ ରୟାଲ୍ସ ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରାଙ୍କୁ ନିଜର କ୍ରିକେଟ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି । ସମ୍ପ୍ରତି ମାରିଲବୋନ୍ କ୍ରିକେଟ୍ କ୍ଲବ୍ (ଏମସିସି)ର ସଭାପତି ଥିବା ସାଙ୍ଗାକାରା କ୍ରିକେଟ୍ ନିର୍ଦ୍ଦେଶକ ଭାବେ ରାଜସ୍ଥାନର ପୂରା କ୍ରିକେଟିଂ ଇକୋସିଷ୍ଟମ୍ ଅର୍ଥାତ୍ କୋଚିଂ ଢାଞ୍ଚା, ନିଲାମ ଯୋଜନା, ଦଳୀୟ ରଣନୀତି, ପ୍ରତିଭା ଚିହ୍ନଟ ଓ ବିକାଶ ଏବଂ ନାଗପୁରରେ ଥିବା ଏହି ଫ୍ରାଞ୍ଚାଇଜର ଏକାଡେମୀ କଥା ବୁଝିବେ ।

ରାଜସ୍ଥାନ ରୟାଲ୍ସର କ୍ରିକେଟ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବା ପରେ ସାଙ୍ଗାକାରା ଖୁସି ବ୍ୟକ୍ତ କରି କହିଛନ୍ତି, ରାଜସ୍ଥାନ ସହ ଯୋଡି ହୋଇଥିବାରୁ ମୁଁ ଖୁସି । ନୂଆ ଚାଲେଞ୍ଜ୍ ପାଇଁ ମୁଁ ପ୍ରସ୍ତୁତ । ଏହି ଟିମକୁ ଶକ୍ତିଶାଳୀ କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯିବ । ସେ ଆହୁରି କହିଛନ୍ତି ଯେ, ବିଶ୍ୱର ଏହି ଅଗ୍ରଣୀ ଟୁର୍ଣ୍ଣାମେଣ୍ଟର ଏକ ଫ୍ରାଞ୍ଚାଇଜର ରଣନୀତି ପ୍ରସ୍ତୁତ କରିବା ସହ ଭବିଷ୍ୟତରେ ଏହି ଆଇପିଏଲ ଟିମର ସଫଳତା ପାଇଁ ମୂଳଦୁଆ ସ୍ଥାପନ କରିବା ଏବଂ ବିକାଶମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ମୋତେ ସୁଯୋଗ ମିଳିଛି, ଯାହା ମୋତେ ପ୍ରେରିତ କରିବ ।

ଆଧୁନିକ ଯୁଗର ଅନ୍ୟତମ ମହାନ ଖେଳାଳି ଭାବେ ବିବେଚିତ ସାଙ୍ଗାକାରା ନିଜ ୧୬ ବର୍ଷର ଗୌରବମୟ କ୍ୟାରିୟରରେ ୨୮,୦୦୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ରନ୍ କରିଛନ୍ତି । ଗତ ୪୬ ବର୍ଷରେ ଅନ୍ୟ ଖେଳାଳିଙ୍କ ତୁଳନାରେ ସାଙ୍ଗାକାରାଙ୍କ ଟେଷ୍ଟ ଆଭରେଜ୍ ହେଉଛି ସର୍ବାଧିକ ।

Comments are closed.